ରାଜ୍ୟ ଅର୍ଥନୀତିର ଅଧୋଗତି : ଋଣ ବୋଝରୁ ଋଣ ଜନ୍ତାକୁ ଦ୍ରୁତଗତି ରାଜ୍ୟ କରିଥିବା ଋଣ ଟଙ୍କାର ସଠିକ୍ ବିନିଯୋଗ ନେଇ ଶ୍ୱେତପତ୍ର ଦାବି କଲା କଂଗ୍ରେସ
ଭୁବନେଶ୍ୱର - ଓଡ଼ିଶା ସରକାରଙ୍କ ଅର୍ଥନୀତିର କୁ-ପରିଚାଳନା ଯୋଗୁଁ ରାଜ୍ୟ ଋଣବୋଝରୁ ଯାଇ ଋଣ ଜନ୍ତାରେ ପଡ଼ିବାର ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ମୁଖପାତ୍ର ପ୍ରଶାନ୍ତ ଶତପଥି ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରି କହିଥିଲେ ଯେ, ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୨୩ ହଜାର ୭ ଶହ ୬୧ ଟଙ୍କା କୁ ବୃଦ୍ଧି ପାଇବା ରାଜ୍ୟ ଅର୍ଥନିତୀର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି । ପବିତ୍ର ବିଧାନସଭା ଗୃହ ଭିତରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ସ୍ପଷ୍ଟ କରିଛି ଯେ, ବିଗତ ୧୦ ବର୍ଷ ଭିତରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨ଗୁଣାରୁ ଅଧିକ ବୃଦ୍ଧି ପାଇଛି । ୨୦୧୧ - ୨୦୧୨ ମସିହାରେ - ୯ ହଜାର ୧ ଶହ ୪୪ ଟଙ୍କା ଥିବାବେଳେ ବର୍ତ୍ତମାନ ୨୦୨୧-୨୨ ମସିହାରେ -୨୩ ହଜାର ୭ ଶହ ୬୧ ଟଙ୍କାରେ ପହଂଚିଛି । ଏହା ପୂର୍ବରୁ ୨୦୧୯ ମସିହାରେ - ୧୮ ହଜାର ୨ ଶହ ୨୮ ଟଙ୍କା ଥିବାବେଳେ, ୨୦୨୦ ମସିହାରେ - ୨୩ ହଜାର ୫ ଶହ ୨୪ ଟଙ୍କାକୁ ବୃଦ୍ଧି ପାଇଥିଲା । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶାର ମୁଣ୍ଡ ପିଛା ଋଣ ଭାର କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି । ଶାସକ ବିଜୁ ଜନତା ଦଳ ତରଫରୁ ସଫେଇ ଦିଆଯାଇ ଯାହା କୁହାଯାଉଛି ଯେ, ରାଜ୍ୟର ଋଣଭାର ଜି.ଏସ୍.ଡ଼ି.ପି. ବା ରାଜ୍ୟର ସକଳ ଘରୋଇ ଉତ୍ପାଦର ଏଫ୍.ଆର.ବି.ଏମ୍. ଆଇନ୍ ବା ବିତିୟ ଦାୟିତ୍ୱ ଓ ବଜେଟ ପରିଚାଳନା ନିୟମ - ୨୦୦୩ ଅନୁସାରେ ୨୫ ପ୍ରତିଶତ ଭିତରେ ରହିଛି, ତେଣୁ ଏହାଚିନ୍ତାଜନକ ବିଷୟ ନୁହେଁ, ଯାହା ଆଦୌ ଗ୍ରହଣ କରାଯାଇନପାରେ । ରାଜ୍ୟର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଧା ୧,୨୨,୯୧୭ କୋଟି ଟଙ୍କାରେ ପହଂଚିବାରେ ଆକଳନ କରାଯାଇଛି । ଏକଥା ସତ୍ୟ ଯେ, ପୂର୍ବରୁ ଥିବା ଋଣ ଉପରେ ସ୍ଥାୟୀ ସୁଧ ହାର ଯଥାକ୍ରମେ ୧୪ ପ୍ରତିଶତ ଓ ୧୮ ପ୍ରତିଶତ ଥିବାବେଳେ ଦ୍ୱାଦଶ ଅର୍ଥକମିଶନଙ୍କ ସୁପାରିଶ ଆଧାରରେ ଏହାକୁ କମ୍ କରାଯାଇ ବର୍ତ୍ତମାନ ୩ ପ୍ରତିଶତ, ୫ ପ୍ରତିଶତ ଓ ୭ ପ୍ରତିଶତ କରାଯାଇଅଛି । ତେଣୁ ରାଜ୍ୟ ସରକାର ଋଣ ଉପରେ ପ୍ରଦାନ କରୁଥିବା ସୁଧ କମିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, ରାଜ୍ୟ ସରକାର କରୁଥିବା ଋଣ କିଭଳି ଭାବେ ବିନିଯୋଗ କରୁଛନ୍ତି ଯଦ୍ୱାରା କି ଦୀର୍ଘ ମିଆଦି ସୁତ୍ରରେ ସରକାରଙ୍କର ଆୟବୃଦ୍ଧି ଘଟିବ । ଶ୍ରୀ ଶତପଥି ଏକଥା ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି ଯେ, ପ୍ରଦେଶ କଂଗ୍ରେସ ବିକାଶଶୀଳ ଅର୍ଥନୀତିକୁ ଆଗକୁ ନେବା ପାଇଁ ଯେଉଁ ଋଣ କରିବାର ବ୍ୟବସ୍ଥା ରହିଛି ତାକୁ ବିରୋଧ କରେ ନାହିଁ । କିନ୍ତୁ ଋଣ କରିଥିବା ଅର୍ଥକୁ ସରକାର ସଠିକ୍ ମାର୍ଗରେ ବିନିଯୋଗ ନ କରି ଶସ୍ତା ଲୋକପ୍ରିୟତା ହାସଲ କରିବା ଓ ଭୋଟ ହାତେଇବା ପାଇଁ ନେଉଥିବା ପଦକ୍ଷେପକୁ ବିରୋଧ କରେ । ସରକାର ବିଭିନ୍ନ ସୁତ୍ରରୁ ଋଣ କରି ତାକୁ ପୁଞ୍ଜି ଭାବରେ ବିନିଯୋଗ କରି ରାଜ୍ୟର ଆୟବୃଦ୍ଧି ଘଟାଇବା ତଥା ଦୀର୍ଘ ମିଆଦି ସୂତ୍ରରେ ଉପାର୍ଜନକ୍ଷମ ସ୍ଥାୟୀ ସଂପତ୍ତି ସୃଷ୍ଟି କରିବା ପରିବର୍ତ୍ତେ ଋଣ ଟଙ୍କାର କୁ-ବିନିଯୋଗ ରାଜ୍ୟର ମୁଣ୍ଡ ପିଛା ଋଣଭାର ବଢ଼ାଇ ଚାଲିଛନ୍ତି । ଅତ୍ୟନ୍ତ ଉଦ୍ବେଗଜନକ ବିଷୟ ଏହି ଯେ, ସରକାର ଋଣ ଟଙ୍କାର ୯୭ ପ୍ରତିଶତ ଦୀର୍ଘ ମିଆଦି ସୂତ୍ରରେ ଉପାର୍ଜନକ୍ଷମ ସ୍ଥାୟୀ ସଂପତି ସୃଷ୍ଟି କରିବାରେ ବିନିଯୋଗ କରନ୍ତି ନାହିଁ । ଯାହାଫଳରେ ଆଜି ଓଡ଼ିଶା ଭଳି ରାଜ୍ୟ ଦାଦନ ଶ୍ରମିକ ସମସ୍ୟା ନେଇ ଜର୍ଜରିତ ଅବସ୍ଥାରେ ରହିଛି । ରାଜ୍ୟରେ ରୋଜଗାରର ଅବକାସ ନାହିଁ, କର୍ମନିଯୁକ୍ତି ଆଶାରେ ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି । ବିଗତ ଦଶବର୍ଷ ଭିତରେ ସରକାର ସ୍ଥାୟୀ ସଂପତି ( Long Term Assets) ସୃଷ୍ଟି କରିବାରେ ଋଣ ଟଙ୍କାକୁ ଆଦୌ ବିନିଯୋଗ କରିନାହାନ୍ତି । ବଜେଟରେ କ୍ୟପିଟାଲ ଇନ୍ଭେଷ୍ଟମେଂଟ ପାଇଁ ଥିବା ଅର୍ଥ ରାଶି ଅନ୍ୟବାବଦରେ ଖର୍ଚ୍ଚ କରାଯାଏ । ରାଜ୍ୟରେ ୧୫ ହଜାରରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଏମ୍.ଏସ୍.ଏମ୍.ଇ ବନ୍ଦ ପଡ଼ିଛି । ନବୀନ ବାବୁ ୨୦୧୫ ମସିହାରେ ଘୋଷଣା କରିଥିଲେ ଯେ, ପ୍ରତ୍ୟେକ ଏମ୍.ଏସ୍.ଏମ୍.ଇ କୁ କ୍ୟାପିଟାଏ ଇନ୍ଭେଷ୍ଟମେଂଟ ଉପରେ ୨୫ ପ୍ରତିଶତ ସବ୍ସିଡ଼ି ଦିଆଯିବ, ଯାହା ଆଜି ପର୍ଯ୍ୟନ୍ତ ପୂରଣ କରାଗଲା ନାହିଁ ।
କଂଗ୍ରେସର ଦାବୀ
୧. ରାଜ୍ୟ ସରକାର ଚଳିତ ବିଧାନ ସଭାରେ ବିଭିନ୍ନ ସୂତ୍ରରୁ କରିଥିବା ଋଣ, ଏହାର ସୁଧ ହାର ଓ ଏହାର ବିନିଯୋଗର ବ୍ୟବସ୍ଥାକୁ ନେଇ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।
୨. ବିଗତ ୨୧ ବର୍ଷ ଧରି ଶାସନ କରୁଥିବା ବି.ଜେ.ଡ଼ି ସରକାର ଋଣକୁ ପୁଞ୍ଜିଭାବରେ ବ୍ୟବହାର କରି ରାଜ୍ୟର ଆୟ କେତେ ବୃଦ୍ଧି କରିଛନ୍ତି ତାକୁ ସର୍ବସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ ।
୩. ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଠାରୁ ଆଣିଥିବା ଋଣର ପରିମାଣ ଓ ଖର୍ଚ୍ଚ କରୁଥିବା ଦିଗ ଗୁଡ଼ିକ ସଂପର୍କରେ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାସ, ପଦ୍ମାକର ଗୁରୁ ଉପସ୍ଥିତ ଥିଲେ ।
Powered by Froala Editor