ବନତାରାକୁ କ୍ଲିନ୍ ଚିଟ୍

ବନତାରା ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ଗୁଜୁରାଟର ଜାମନଗର ସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ବନତାରାକୁ କ୍ଲିନ୍ ଚିଟ୍ ଦେଇଛି। ସୁପ୍ରିମକୋର୍ଟର ବିଚାରପତି ପଙ୍କଜ ମିଥଲ ଏବଂ ପି.ବି. ବରାଲେଙ୍କ ଖଣ୍ଡପୀଠ ଏସଆଇଟି ରିପୋର୍ଟକୁ ରେକର୍ଡରେ ନେଇଛନ୍ତି ଏବଂ କହିଛନ୍ତି ଯେ ଏସଆଇଟି ବନତାରାରେ ଆଇନ ଓ ନିୟମଗୁଡିକର ଅନୁପାଳନ ପ୍ରସଙ୍ଗରେ ସନ୍ତୁଷ୍ଟ ରହିଛି। ସୁପ୍ରିମକୋର୍ଟ କହିଛନ୍ତି, ଯଦି କେହି ନିୟମ ମାନି ହାତୀ ପାଳିବାକୁ ଚାହୁଁଛି, ସେଥିରେ କ’ଣ ଭୁଲ୍? ସୋମବାର (୧୫ ସେପ୍ଟେମ୍ବର ୨୦୨୫) ମାମଲାର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି। ତେବେ କୋର୍ଟ ଏପର୍ଯ୍ୟନ୍ତ କୌଣସି ଆଦେଶ ଜାରି କରିନାହାନ୍ତି।
ବନତାରାରେ ବେଆଇନ ବନ୍ୟଜନ୍ତୁ ହସ୍ତାନ୍ତର ଓ ହାତୀଙ୍କୁ ଅବୈଧ ବନ୍ଦୀ ରଖିବା ଅଭିଯୋଗରେ ଏକ ଜନହିତ ମାମଲା ଦାୟର ହୋଇଥିଲା। ଗତ ୨୫ ଅଗଷ୍ଟରେ କୋର୍ଟ ଏହି ଅଭିଯୋଗର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ଆଇଟିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଜେ. ଚେଲାମେଶ୍ୱର, ଉତ୍ତରାଖଣ୍ଡ ଓ ତେଲଙ୍ଗାନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରାଘବେନ୍ଦ୍ର ଚୌହାନ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ହେମନ୍ତ ନାଗରାଲେ ଓ ବରିଷ୍ଠ ଆଇଆର୍ଏସ୍ ଅଧିକାରୀ ଅନୀଶ ଗୁପ୍ତା ସାମିଲ ଅଛନ୍ତି।
ଶୁକ୍ରବାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା ଏବଂ ସୋମବାର ସୁପ୍ରିମକୋର୍ଟ ଏହାକୁ ଅନୁଧ୍ୟାନ କରିଥିଲେ। କୋର୍ଟ କହିଛନ୍ତି ଯେ ରିପୋର୍ଟ ଅଧ୍ୟୟନ କରିବା ପରେ ହିଁ ଏହା ଏକ ବିସ୍ତୃତ ଆଦେଶ ଜାରି କରିବ।
Powered by Froala Editor