ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ

୧୫ ଦିନର ନବଜାତ ନିଷ୍ପାପ ଛୁଆକୁ ମାଟିତଳେ ଜୀବନ୍ତ ପୋତିଦେଲେ ନର ରୂପୀ ରାକ୍ଷସ। ହେଲେ ଭଗବାନଙ୍କ ଆଶୀର୍ବାଦରୁ ପିଲାଟି ମାଟି ତଳେ ପୋତି ହୋଇ ମଧ୍ୟ ଜୀବନ୍ତ ଥିଲା। ଉତ୍ତରପ୍ରଦେଶର ସାହାଜାହାନପୁରର ଗୋହାବର ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ଗାଁ ପାଖରୁ ଏକ ନବଜାତ କନ୍ୟା ସନ୍ତାନ ଉଦ୍ଧାର ହୋଇଛି । ଝିଅଟିକୁ କେହି ମାଟିରେ ଅଧା ପୋତିଦେଇଥିବାବେଳେ ହାତରୁ ରକ୍ତ ଝରିପଡ଼ୁଥିଲା। କୁନି ଝିଅଟି କୁଆଁ କୁଆଁ କରି କାନ୍ଦୁଥିବାବେଳେ ସକାଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ଏହାପରେ ଗ୍ରାମବାସୀ ଝିଅକୁ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ଝିଅଟିକୁ ମାଟିରୁ ବାହାର କରିଥିଲେ। ଝିଅଟିର ନିଶ୍ୱାସପ୍ରଶ୍ୱାସ ଚାଲିଥିବାବେଳେ ଅବସ୍ଥା କିନ୍ତୁ ଗୁରୁତର ଥିଲା। ଝିଅର ମଥାରେ ସିନ୍ଦୂର ଲଗାଯାଇଥିବାବେଳେ ନୂଆ ପୋଷାକ ପିନ୍ଧିଥିଲା |
ଏହାକୁ ନେଇ ଗ୍ରାମବାସୀ ଓ ପୁଲିସ ସନ୍ଦେହ କରିଛନ୍ତି ଯେ ଝିଅଟିର ବୋଧେ ନାମକରଣ ପୂଜା କରାଯାଇଥିଲା ଓ ଏହା ପରେ ଝିଅକୁ ଆଣି ମାଟିରେ ପୋତିଦିଆଯାଇଥିଲା।
ସୂଚନା ମିଳିବା ମାତ୍ରେ ଜୈତିପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଅଧୀକ୍ଷକ ରାଜେଶ ଦ୍ୱିବେଦୀ କହିଛନ୍ତି ଯେ ପୁଲିସ ବହୁତ ସତର୍କତାର ସହ ମାଟି କାଢି ଝିଅଟିକୁ ବାହାର କରିଥିଲା। ଝିଅଟି ନିଶ୍ୱାସ ନେଉଥିଲା ତା’ପରେ ତାକୁ ତୁରନ୍ତ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ପଠାଯାଇଥିଲା।
ଗ୍ରାମବାସୀଙ୍କ କହିବା କଥା ଯେ ବୋଧେ କନ୍ୟା ସନ୍ତାନ ଜନ୍ମହୋଇଥିବାରୁ ବାପା-ମା ଆଣି ଝିଅଟିକୁ ପୋତି ଚାଲିଯାଇଛନ୍ତି । ଏବେ କୁନି ଝିଅର ଚିକିତ୍ସା ଚାଲିଥିବାବେଳେ ଡାକ୍ତର କହିଛନ୍ତି ଯେ ଝିଅଟିର ନାକ ଓ ପାଟିରେ ମାଟି ଭର୍ତ୍ତି ହୋଇନଥିବାରୁ ସେ ଶ୍ୱାସକ୍ରିୟା ନେଇ ପାରୁଥିଲା ।
Powered by Froala Editor