ଆଜି ଏହି ୬ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର: ବଙ୍ଗୋପ ସାଗରରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ଗତକାଲିଠୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ରାଜ୍ୟରେ ଆଉ ୨୪ ଘଣ୍ଟା ଲଘୁଚାପଜନିତ ବର୍ଷା ଲାଗି ରହିବ ଏବଂ ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ଓ ମøସୁମୀ ବାୟୁ ସକ୍ରିୟ ହେବାରୁ ଚାଷ କାର୍ଯ୍ୟ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି ।
ଦକ୍ଷିଣ ଓଡିଶା ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣପଶ୍ଚିମ ଆଡକୁ ଢଳି ରହିଥିବା ବେଳେ ଆସନ୍ତା ୨ରୁ ୩ ଦିନ ଭିତରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବ । ଆଜି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେହିଭଳି ଆଜି ନୂଆପଡା, ନବରଙ୍ଗପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ କେନ୍ଦୁଝର ଆଦି ୬ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor