ନବରଙ୍ଗପୁରରେ ଲଜ୍ଜ୍ୟା: ମା’କୁ ପଥର ମାରି ସଂଜ୍ଞାହୀନ ପରେ ଝିଅକୁ ବଳାତ୍କାର

ନବରଙ୍ଗପୁର: ମା’କୁ ପଥର ମାଡ଼ କରି ସଂଜ୍ଞାହୀନ ପରେ ଝିଅକୁ ଟେକି ନେଇ ବଳାତ୍କାର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ୍ରେ ଘଟିଛି ଏଭଳି ଲଜ୍ଜ୍ୟାଜନକ ଘଟଣା । ଏହା ଜଣାପଡ଼ିବା ପରେ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା ତେନ୍ତୁଳିଖୁଂଟି ବ୍ଲକ୍ ହର୍ମିମୁଣ୍ଡାର ତୁଲାରାମ ମାଝୀ । ଗୁରୁତର ଥିବା ପୀଡ଼ିତାଙ୍କ ମା’ଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ତେନ୍ତୁଳିଖୁଂଟି ବ୍ଲକ ଅଂଚଳର ମହିଳା ଜଣକ ନିଜ ୧୫ ବର୍ଷୀୟା ଝିଅ ସହ ଗତ ୩ ତାରିଖ ସକାଳୁ ନିଜ ଜମିକୁ କାମ କରିବାକୁ ଯାଇଥିଲେ । କାମ ସାରି ସନ୍ଧ୍ୟାରେ ଉଭୟ ଘରକୁ ଫେରୁଥିଲେ । ବାଟରେ ଅଭିଯୁକ୍ତ ତୁଲାରାମ ମହିଳାଙ୍କ ମୁଣ୍ଡକୁ ପଥର ମାରି ରକ୍ତାକ୍ତ କରିଥିଲା । ସେ ସଂଜ୍ଞାହୀନ ହୋଇଯିବା ପରେ ଝିଅର ହାତଗୋଡ଼ ବାନ୍ଧି ନିକଟସ୍ଥ ମକା କ୍ଷେତକୁ ଟାଣି ନେଇଥିଲା । ସେଠାରେ ବଳାତ୍କାର କରିବା ପରେ ପଳାଇ ଥିଲା । କିଛି ସମୟ ପରେ ସେହି ବାଟ ଦେଇ ଯାଉଥିବା ଗ୍ରାମବାସୀ ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ତେନ୍ତୁଳିଖୁଂଟି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।
ପୀଡ଼ିତା ବହୁ କଷ୍ଟରେ ଘରକୁ ଫେରିଥିଲେ । ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ । ଝିଅ ଠାରୁ ସବୁ କଥା ଶୁଣିବା ପରେ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଅଭିଯୁକ୍ତ ତୁଲାରାମକୁ ପୂଜାରୀଗୁଡାଗ୍ରାମ ନିକଟରୁ ଗିରଫ କରିଥିଲା । ଅଭିଯୁକ୍ତକୁ ପୁଲିସ ଘଟଣାସ୍ଥଳକୁ ନେଇ ସିନ କ୍ରିଏଟ କରିଛି ।
Powered by Froala Editor