ଭେଣ୍ଡି କିଲୋ ୮୦୦ ଟଙ୍କା, କେଉଁଠି, କାହିଁକି ପଢ଼ନ୍ତୁ...
ଭୋପାଳ: ଭେଣ୍ଡି କିଲୋ ୮୦୦ ଟଙ୍କା । ଏହି ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଛନ୍ତି କି ? ମାତ୍ର ଏହା ବାସ୍ତବରେ ସତ । କାରଣ ଏହା ଦେଶୀ ଭେଣ୍ଡି ନୁହେଁ । ଏହା ଏକ ଭିନ୍ନ ଧରଣର ଭେଣ୍ଡି। ଯାହା ଦେଖିବାକୁ ଲାଲ ରଙ୍ଗ । ଶରୀର ପାଇଁ ଏହି ଭେଣ୍ଡି ବେଶ୍ ଲାଭ ଦାୟକ । ଏଥିରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ମଧ୍ୟ ରହିଛି । ମଧ୍ୟପ୍ରଦେଶର ଭୋପାଳରେ ଏହାକୁ ଜଣେ ଚାଷୀ ଫସଲ କରିଛନ୍ତି ।
ଭୋପାଳର ଖଜୁରୀ କାଲାନ ଅଂଚଳର ଚାଷୀ ମିସ୍ରିଲାଲ ରାଜପୁତ ତାଙ୍କ ବଗିଚାରେ ନାଲି ଓକରା ଅର୍ଥାତ୍ ଲାଲ ଭେଣ୍ଡି ଫଳାଇଛନ୍ତି । ଯାହାର ଦାମ୍ ଆକାଶ ଛୁଆଁ । ସେଠାରେ ଏହାର କେଜି ୮୦୦ ଟଙ୍କାରେ ବିକ୍ରି ହେଉଛି । କେବଳ ସେତିକି ନୁହେଁ, ଏହି ଭେଣ୍ଡିର ଚାହିଦା ମଧ୍ୟ ଖୁବ୍ ଅଧିକ ରହିଛି ।
ଏନେଇ ମିସ୍ରିଲାଲ କହିଛନ୍ତି, ଏହି ଭେଣ୍ଡି ସାଧାରଣ ସବୁଜ ରଙ୍ଗର ନୁହେଁ ବରଂ ଏହାର ରଙ୍ଗ ଲାଲ । ସବୁଜ ରଙ୍ଗର ଭେଣ୍ଡି ଅପେକ୍ଷା ଏହା ଅଧିକ ଲାଭଦାୟକ ଏବଂ ପୁଷ୍ଟିକର । ହୃଦ୍ରୋଗ, ରକ୍ତଚାପ, ମଧୁମେହ ଓ କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ଏହା ବେଶ୍ ଫଳପ୍ରଦ । ବାରାଣାସୀର ଏକ କୃଷି ଗବେଷଣା ପ୍ରତିଷ୍ଠାନରୁ ସେ ୧ କିଲୋ ମଞ୍ଜି ଆଣିଥିଲେ । ଜୁଲାଇ ପ୍ରଥମ ସପ୍ତାହରେ ଏହାକୁ ବୁଣିଥିଲେ । ପ୍ରାୟ ୪୦ ଦିନ ମଧ୍ୟରେ ଏହା ଫଳ ଦେଇଛି । ଏହି ଭେଣ୍ଡି ଚାଷ ସମୟରେ କୌଣସି କ୍ଷତିକାରକ କୀଟନାଶକ ବ୍ୟବହାର କରାଯାଏନି । ଏକ ଏକର ଜମିରେ ସର୍ବନିମ୍ନ ୪୦ରୁ ୫୦ କ୍ୱିଂଟାଲ ଏବଂ ସର୍ବାଧିକ ୭୦ରୁ ୮୦ କ୍ୱିଂଟାଲ ଚାଷ କରାଯାଇପାରିବ ।
Powered by Froala Editor