ଅତ୍ୟାବଶ୍ୟକ ତାଲିକାରେ ୩୯ ନୂଆ ଔଷଧ, ବାଦ୍ ପଡିବ ୧୬ଟି ଆଣ୍ଟିବାୟୋଟିକ୍
ଦେଶର ଅତି ଆବଶ୍ୟକ ଔଷଧ ତାଲିକା ବା National List of Essential Medicines(NLEM)ରେ ୩୯ଟି ନୂଆ ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ବହୁ ପରିମାଣରେ ବ୍ୟବହୃତ ହେଉଥିବା ଏହି ସମସ୍ତ ଔଷଧର ମୂଲ୍ୟ ହ୍ରାସ କରିବା ଏବଂ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଉପଲବ୍ଧ କରାଇବା ସରକାରଙ୍କ ଉଦ୍ଦେଶ୍ୟ। ସଂଶୋଧିତ ତାଲିକାରେ ଯୋଡି ହୋଇଥିବା ନୂଆ ଔଷଧ ଗୁଡ଼ିକ ମଧ୍ୟରେ କର୍କଟ, ଡାଇବେଟିସ୍, ଯକ୍ଷ୍ମା ଏବଂ ଏଚ.ଆଇ.ଭି ଭଳି ଗୁରୁତର ରୋଗ ଏବଂ କେତେକ ଆଣ୍ଟିଭାଇରାଲ ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟପକ୍ଷରେ ୧୬ଟି ଅନ୍ୟ ଔଷଧକୁ ଏହି ତାଲିକାରୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।
NLEM ତାଲିକାରୁ ବାହାର କରାଯାଇଥିବା ଅଧିକାଂଶ ଔଷଧ ଆଣ୍ଟିବାୟୋଟିକ୍ । ବିଭିନ୍ନ ଚିକିତ୍ସା ପାଇଁ ଏହାର ଆବଶ୍ୟକତା ପଡ଼ିଥାଏ। NLEM ତାଲିକାରୁ ବାହାରିବା ପରେ ଏହି ଆଣ୍ଟିବାୟୋଟିକଗୁଡ଼ିକର ମୂଲ୍ୟ ୧୦-୧୨ ପ୍ରିତଶତ ମହଙ୍ଗା ହୋଇପାରେ ବୋଲି ଫାର୍ମା ଇଣ୍ଡଷ୍ଟ୍ରୀର ବିଶେଷଜ୍ଞମାନେ କହିଛନ୍ତି।
ଅସଲ କଥା ହେଲା କି ଔଷଧଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣରେ ସରକାରଙ୍କ ଦଖଲ କେବଳ ବାରଅଷିକ ବୃଦ୍ଧି ନିୟମ ପର୍ଯ୍ୟନ୍ତ ରହିବ। ଆଉ ବଜାରରେ ପହଞ୍ଚିବା ପରେ ଫାର୍ମା କମ୍ପାନୀଗୁଡ଼ିକ ଏହି ୧୬ ଔଷଧକୁ ନିଜ ଇଚ୍ଛା ଅନୁସାରେ ମୂଲ୍ୟ ବଢାଇ ବିକ୍ରି କରିପାରିବେ। ତେବେ ଏହାର ଲାଭ ଓ କ୍ଷତି କେବଳ ରୋଗୀଙ୍କୁ ହିଁ ଭୋଗିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ବିଶେଷଜ୍ଞ କମିଟି ଦ୍ୱାରା ଏହି ସଂଶୋଧିତ ତାଲିକା ପ୍ରସ୍ତୁତ କରାଯାଇଥିଲା। ପରେ ତାଲିକାକୁ ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବୀକୃତି ଲାଭ କରିବା ପରେ ସୁଲଭ ଔଷଧ ଏବଂ ସ୍ବାସ୍ଥ୍ୟ ଉତ୍ପାଦ ଷ୍ଟାଣ୍ଡିଂ କମିଟି ଏହାର ମୂଲ୍ୟାଙ୍କନ କରିବ। ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ଏହି ଔଷଧଗୁଡିକର ଅନ୍ତିମ ମୂଲ୍ୟ ସ୍ଥିର କରିବେ। ଏହାର ମୁଖ୍ୟ ହେଉଛନ୍ତି ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡ. ଭି.କେ. ପଲ।
Powered by Froala Editor