ଉତ୍ପାଦନର ଖରାପ ପ୍ରଦର୍ଶନ, ଦୁଇ ବର୍ଷରେ ସର୍ବନିମ୍ନ ସ୍ତରରେ ଜିଡିପି
ଅର୍ଥନୀତିରେ ଭାରତକୁ ବଡ଼ ଝଟକା ଲାଗିଛି। ଉତ୍ପାଦନ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫.୪ ପ୍ରତିଶତକୁ ଖସି ଆସିଛି, ଯାହାକି ପାଖାପାଖି ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଆର୍ଥିକ ଅଭିବୃଦ୍ଧିରେ ଏଭଳି ଅବନତୀ ଘଟିଛି।
୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୪.୩ ପ୍ରତିଶତ ରହିଥିଲା। ସେତେବେଳେ କରୋନା ମହାମାରୀ ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଅର୍ଥନୈତିକ କ୍ଷେତ୍ରରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ସ୍ଥାନ ବଜାୟ ରଖିଛି। କାରଣ ଏହି ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଚୀନ୍ର ଜିଡିପି ଅଭିବୃଦ୍ଧି ହାର ୪.୬ ପ୍ରତିଶତ ରହିଛି।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ତଥ୍ୟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିଛି, ଯାହା ପୂର୍ବବର୍ଷ ସମାନ ଅବଧିରେ ୧.୭ ପ୍ରତିଶତ ଥିଲା। ଗତ ତ୍ରୟମାସରେ ମାନୁଫାକ୍ଚରିଂ ସେକ୍ଟରର ଅଭିବୃଦ୍ଧି ହାର ୨.୨ ପ୍ରତିଶତକୁ ଖସି ଆସିଥିବା ବେଳେ ବର୍ଷକ ପୂର୍ବରୁ ଏହା ୧୪.୩ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଥିଲା।
Powered by Froala Editor