ବଳାତ୍କାର, ଏସିଡ୍ ଆକ୍ରମଣ ପୀଡ଼ିତା ମାଗଣା ଚିକିତ୍ସା ପାଇବାକୁ ହକ୍ଦାର
ବଳାତ୍କାର, ଏସିଡ୍ ଆକ୍ରମଣ ପୀଡ଼ିତା, ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ମାମଲାରେ ପୀଡ଼ିତା ସରକାରୀ ଓ ଘରୋଇ ହସ୍ପିଟାଲ ସମେତ ନର୍ସିଂହୋମ୍ଗୁଡ଼ିକରେ ମାଗଣା ଚିକିତ୍ସା ସୁବିଧା ପାଇବାକୁ ହକ୍ଦାର । ଏମାନଙ୍କ ଠାରୁ ହସ୍ପିଟାଲ ପକ୍ଷରୁ ଚିକିତ୍ସା ଫି' ଆଦାୟ କରିବା ଏକ ଦଣ୍ଡନୀୟ ଅପରାଧ। ଏଭଳି କିଛି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ।
ଅଦାଲତଙ୍କ ଏହି ନିର୍ଦ୍ଦେଶନାମାକୁ କେନ୍ଦ୍ର ଓ ରାଜ୍ୟ ପାଣ୍ଠିରେ ପରିଚାଳିତ ସମସ୍ତ ଅନୁଷ୍ଠାନ, ଘରୋଇ ହସ୍ପିଟାଲ, କ୍ଲିନିକ୍ ଏବଂ ନର୍ସିଂହୋମଗୁଡ଼ିକୁ ଅନୁପାଳନ କରିବାକୁ ହେବ ବୋଲି ଜଷ୍ଟିସ ପ୍ରତିଭା ଏମ୍. ସିଂ ଏବଂ ଅମିତ୍ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି। ଉପରୋକ୍ତ ପୀଡ଼ିତାମାନଙ୍କୁ ସ୍ବାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ପ୍ରାଥମିକ ଚିକିତ୍ସା, ନିଦାନ, ଲାବରେଟୋରି ପରୀକ୍ଷା, ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର, ଶାରୀରିକ ଓ ମାନସିକ ପରାମର୍ଶ ସେବା, ମନସ୍ତାତ୍ତ୍ୱିକ ସହାୟତା ଏବଂ ପରିବାର କାଉନ୍ସେଲିଂ ଆଦି ସମସ୍ତ ଚିକିତ୍ସା ଯୋଗାଇଦେବେ।
ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଓ ଜଷ୍ଟିସ୍ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ମାମଲାରେ ସୋମବାର ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଦାଲତ ଓ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ)ର ବାରମ୍ବାର ହସ୍ତକ୍ଷେପ ସତ୍ତ୍ୱେ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା।
ଏହି ମାମଲାର ଶୁଣାଣି ବେଳେ ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
Powered by Froala Editor