କେନ୍ଦୁଝର ଓ ସୁନ୍ଦରଗଡର ୧୧ଟି ଖଣି ପାଇଁ ଟେଣ୍ଡର ଆହ୍ୱାନ, ୧୬ରୁ ନିଲାମ ଡକା
ରାଜ୍ୟ ସରକାର ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୧୧ଟି ଖଣି ଲିଜ୍ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ମିଳିଛି । ସେପ୍ଟେମ୍ବର ୧୬ ତାରିଖରେ ଟେଣ୍ଡର ଖୋଲାଯାଇ ନିଲାମ ଡକା ଆରମ୍ଭ ହେବ ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୧୧ଟି ଖଣିର ଟେଣ୍ଡର ଆହ୍ୱାନ କରିଛନ୍ତି । ସେଥିରେ ରହିଛି ୭ଟି ଲୁହାପଥର ଖଣି, ୨ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି, ଗୋଟିଏ ଲୁହାପଥର ଏବଂ ଡୋଲୋମାଇଟ, ଗୋଟିଏ ବକ୍ସାଇଟ ଖଣି । ଏହି ୧୧ଟି ଖଣିର ନିଲାମ ଧରିବା ପାଇଁ ୩୮ଟି ବୃହତ୍ତ ଖଣି କମ୍ପାନୀ ନିଲାମ ପ୍ରକ୍ରିୟାରେ ଭାଗ ନେଉଥିବା ଜଣାପଡିଛି ।
ଚଳିତ ବର୍ଷ ଜୁଲାଇ ୭ ତାରିଖରେ ଏହି ଖଣି ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୪ ତାରିଖରେ ଟେଣ୍ଡର ପେପର ଦାଖଲ କରିବାର ଶେଷ ତାରିଖ ରହିଥିଲା । ସେପ୍ଟେମ୍ବର ୧୬ ତାରିଖ ଦିନ ଏହି ଟେଣ୍ଡର ଖୋଲାଯାଇ ନିଲାମ ଡକା ଆରମ୍ଭ ହେବ ବୋଲି ଜଣାପଡିଛି ।
ଏହି ଟେଣ୍ଡର ପ୍ରକ୍ରିୟାରେ କାଶିଆ ଲୌହ ଓ ଡୋଲୋମାଇଟ ଖଣି, ନଦିଡିହି ଲୌହ ଖଣି (ବିଆଇକୋ), ନଦିଡିହି ଲୌହ ମାଙ୍ଗାନିଜ ଖଣି (ଫି ଗ୍ରେଡ), ତେହେରାଇ ଲୌହ ଓ ମାଙ୍ଗାନିଜ ଖଣି ଏହି ଚାରୋଟି ଖଣିର ଲିଜ୍ ଅବଧି ସରିଯାଇଥିବା ବେଳେ ପୁନଃ ଲିଜ୍ ପାଇଁ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେହିପରି ପୁରେଇବାହାଲ ଲୌହ ଖଣି, ଚାନ୍ଦିପଶି ଲୌହ ଖଣି, ଜୁମକା ପଥରିପଷି ଲୌହ ଖଣି, ଦୋଲତାପାହାର ଲୌହ ଖଣି, ନେତ୍ରବନ୍ଧ (ପଶ୍ଚିମ) ଲୌହ ଖଣି, ଗନ୍ଦଲପଦା ଲୌହ ଖଣି, କଲରାପାଟ ବକ୍ସାଇଟ ଖଣି ଭଳି ୮ଟି ନୂତନ ଖଣି ଟେଣ୍ଡର ପ୍ରକ୍ରିୟାର ପର୍ଯ୍ୟାୟଭୁକ୍ତ ରହିଛି । ଏହି ଖଣି ନିଲାମ ପ୍ରକ୍ରିୟାରେ ଟାଟା, ରୁଙ୍ଗଟା, ମିତ୍ତଲ, ଆଦାନୀ, ବେଦାନ୍ତ, ଏସେଲ ମାଇନିଙ୍ଗ ଭଳି ବୃହତ୍ତ ଖଣି କମ୍ପାନୀମାନେ ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଉଥିବା ଜଣାପଡିଛି ।
Powered by Froala Editor