ଖାରଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନ
କଟକ: କଟକ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ସାଂସଦ ତଥା ଅଭିକନେତା ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲା ଗ୍ରହଣୀୟ ନୁହେଁ ଓ ଏହାକୁ ଖାରଜ କରାଯାଉ ବୋଲି ଦର୍ଶାଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ପିଟିସନ ଖାରଜ ହୋଇଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପରେ ଦିଲ୍ଲୀର ପଟିଆଲା ହାଉସ ଅଦାଲତରୁ ସ୍ଥାନାନ୍ତର ହୋଇ କଟକ ପରିବାର ଅଦାଲତକୁ ଶୁଣାଣି ପାଇଁ ଆସିଥିବା ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ବିରୋଧ କରି ବର୍ଷା ଗତ ଅଗଷ୍ଟ ୨୭ରେ ଏହି ପିଟିସନ୍ ଦାଖଲ କରିଥିଲେ । ମୂଳ ଛାଡ଼ପତ୍ର ଆବେଦନ ସହିତ ଅନୁଭବ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଥିଲେ ବର୍ଷା । ଛାଡ଼ପତ୍ର ଆବେଦନରେ ବିବାହ ସ୍ଥାନ ଦିଲ୍ଲୀ ବୋଲି ଦର୍ଶାଯାଇଥିଲା ଯାହା କି ସତ ନୁହେଁ । ଅନୁଭବ ଜଣେ ସାଂସଦ ହୋଇଥିବା ବେଳେ ଏଭଳି ମିଥ୍ୟା ସତ୍ୟପାଠ ଦାଖଲ ସଂସଦ ପ୍ରତି ଅସମ୍ମାନ । ମିଥ୍ୟା ସତ୍ୟପାଠ ଦାଖଲ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି ବୋଲି ବର୍ଷାଙ୍କ ପିଟିସନରେ ଉଲ୍ଲେଖ କରାଯାଇଥିଲା । ଅନ୍ୟପକ୍ଷରେ ଅନୁଭବଙ୍କ ପକ୍ଷରୁ ଏପରି ପିଟିସନକୁ ବିରୋଧ କରାଯାଇ ଦର୍ଶାଯାଇଥିଲା ଯେ ସେ କୌଣସି ତଥ୍ୟ ଲୁଚାଇ ନାହାନ୍ତି କି ମିଥ୍ୟା ସତ୍ୟପାଠ ଦେଇ ନାହାନ୍ତି । ଛାଡ଼ପତ୍ର ଆବେଦନ ଟାଇପ ସମୟରେ କେତେକ ଅନିଚ୍ଛାକୃତ ତ୍ରୁଟି ରହିଥିବା ଅନୁଭବଙ୍କ ତରଫରୁ ଦର୍ଶା ଯାଇଥିଲା । ପରିବାର ଅଦାଲତ ଶୁଣାଣି କରି ବର୍ଷାଙ୍କ ପିଟିସନକୁ ଖାରଜ କରିଛନ୍ତି । ଏଥି ସହିତ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ସେପ୍େଟମ୍ବର ୧୪କୁ ତାରିଖ ଧାର୍ଯ୍ୟ କରିଛନ୍ତି । ଏ ନେଇ ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।
Powered by Froala Editor