ସଢେ଼ଇ କାରିଗର ଚିତ୍ତରନ ଭୋଇଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ
କନ୍ଦରପୁର : ଜଗତସିଂହପୁର ଜିଲ୍ଲା କନ୍ଦରପୁର ଗ୍ରାମର ସଢେ଼ଇ କାରିଗର ଚିତ୍ତରନ ଭୋଇ(କାହ୍ନୁ)ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହେବେ । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାହ୍ନୁଙ୍କୁ ସୂଚନା ଦିଆଯାଇଛି । ଗତକାଲି ରାତି ପ୍ରାୟ ୮ଟା ବେଳେ କାହ୍ନୁଙ୍କ ମୋବାଇଲ ଫୋନକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଲ ଆସିଥିଲା । ଫୋନ କରଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଜଣକ କାହ୍ନୁ ଓ ତାଙ୍କ ପରିବାର ବିଷୟରେ ପଚାରି ବୁଝିବା ସହ ତାଙ୍କ ନାମ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିବା ସୂଚନା ଦେଇଥିଲେ । ଆସନ୍ତା ରବିବାର 'ମନ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ କଥାହେବେ ଓ କାର୍ଯ୍ୟକ୍ରମର ୩ଘଣ୍ଟା ପୂର୍ବରୁ ତାଙ୍କୁ ଜଣାଇ ଦିଆଯିବ ବୋଲି ତାଙ୍କୁ ସୂଚନା ଦିଆଯାଇଛି । କିଛିଦିନ ପୂର୍ବେ ଭାରତୀୟ ରେଳବାଇ ବୋର୍ଡ ସଦସ୍ୟ ତଥା ସଦର ବିଜେପି ନେତା ଦିଲ୍ଲୀପ ମଲ୍ଲିକ ତାଙ୍କୁ ଭେଟି ତାଙ୍କର କାରିଗରୀ ଦେଖିବା ସହ ତାଙ୍କ ଠାରୁ ଦୁଇଟି ସଢେ଼ଇ ତିଆରି ଗଣେଶ ମୂର୍ତ୍ତି କିଣି ନେଇଥିବା କାହ୍ନୁ କହିଛନ୍ତି । ଏଥିରୁ ଶ୍ରୀ ମଲ୍ଲିକ ଗୋଟିଏ ଗଣେଶ ମୂର୍ତ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପହାର ଦେବାସହ ମନ କି ବାତ କାର୍ଯ୍ୟକ୍ରମ ପାଇଁ କାହ୍ନୁଙ୍କ ନାମ ସୁପାରିସ କରିଥିଲେ । କାହ୍ନୁଙ୍କ ସଢେ଼ଇରେ ତିଆରି ରାକ୍ଷୀର ସ୍ଥାନୀୟ ଅଞ୍ଚଳରେ ବିଶେଷ ଚାହିଦା ରହିଛି । ଏଥିସହ କାହ୍ନୁ ସଢେ଼ଇ, କାଚ ବୋତଲ ଆଦିରେ ଭଳିକି ଭଳି ଘର ସଜ୍ଜା ସାମଗ୍ରୀ ତିଆରି କରନ୍ତି ।
Powered by Froala Editor