ଏଟିଏମ୍ ଭ୍ୟାନ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ : ମାଟି ତଳୁ ଉଦ୍ଧାର ହେଲା ବିଡ଼ା ବିଡ଼ା ନୋଟ୍

ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଆସିକା ରୋଡ଼ରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଲୁଟ୍ ଡ୍ରାମାର ମାଷ୍ଟର୍ମାଇଣ୍ଡ୍ ହେଉଛି ଖୋଦ୍ ଗାଡ଼ିର ଡ୍ରାଇଭର୍ ଆଶିଷ କୁମାର ଦିଗାଲ। ଆଶିଷ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ର ଦୁଇ ସହଯୋଗୀ ମାନ୍ୟବର ନାୟକ ଓ କାର୍ତ୍ତିକଙ୍କ ସହାୟତାରେ ନିଜେ ଟଙ୍କା ଧରି ଖସିଯିବା ସହ ଧରାପଡ଼ିବା ଭୟରେ ନିଜକୁ ନିଜେ କେମିକାଲ୍ ସ୍ପ୍ରେ କରି ଅଚେତ ହୋଇଥିଲା । ତେବେ ୩ ଦିନ ଧରି ତଦନ୍ତ ପରେ ସବୁ ମିଛର ପର୍ଦ୍ଦାଫାସ୍ କରିଛି ପୋଲିସ । ଏହାସହ ସାରଙ୍ଗଗଡ଼ ମାଟି ତଳୁ ଲୁଟ୍ ଟଙ୍କାକୁ ଉଦ୍ଧାର କରିଛି ୨୦ ଲକ୍ଷ ୯୦ ହଜାର ଟଙ୍କା । ଏକ ପ୍ଲାଷ୍ଟିକ୍ ଡବାରେ ବିଡ଼ା ବିଡ଼ା ଟଙ୍କାକୁ ଭର୍ତ୍ତି କରି ମାଟି ତଳେ ପୋତି ଦିଆଯାଇଥିଲା । ଅନ୍ୟ ୩ ଲକ୍ଷ ଟଙ୍କାକୁ ଅଭିଯୁକ୍ତମାନେ ଖର୍ଚ୍ଚ କରିଦେଇଥିବା ପୋଲିସ କହିଛି ।
ଏଜିଏସ୍ ସିକ୍ୟୋର୍ ନାମକ ଏକ ଘରୋଇ ସଂସ୍ଥା ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମ୍ କାଉଣ୍ଟର୍ରେ ଭର୍ତ୍ତି କରିଥାଏ। ଗତ ୧୮ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସଂସ୍ଥାର ୪ଜଣ କର୍ମଚାରୀ ୨୬ଲକ୍ଷ ଟଙ୍କା ଭ୍ୟାନ୍ରେ ଧରି ବାହାରିଥିଲେ। ରଜାସାହି ସ୍ଥିତ ଏଟିଏମ୍ କାଉଣ୍ଟର୍ରେ ୨ଲକ୍ଷ ଟଙ୍କା ଭର୍ତ୍ତି କରିବା ପରେ ଆସିକା ରୋଡ଼ ଆକ୍ସିସ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟର୍କୁ ଯାଇଥିଲା। ଗନ୍ମ୍ୟାନ୍ ଓ ଦୁଇଜଣ କର୍ମଚାରୀ ଗାଡ଼ିରୁ ଓହ୍ଲାଇ ବ୍ୟାଙ୍କ ଭିତରକୁ ଯାଇଥିଲେ। କିଛି ସମୟ ପରେ ଆସି ଦେଖିବା ବେଳେ ଗାଡ଼ିଟି ସେଠାରୁ ଉଭାନ୍ ହୋଇ ଯାଇଥିଲା। କର୍ମଚାରୀମାନେ ସଂସ୍ଥାର ମୁଖ୍ୟାଳୟକୁ ଫୋନ କରିଥିଲେ । ଭ୍ୟାନ୍ରେ ଲାଗିଥିବା ଜିପିଏସ୍ ଲୋକେସନ୍ ଟ୍ରାକ୍ କରାଯାଇଥିଲା। ଭ୍ୟାନ୍ର ଲୋକେସନ୍ ଆନ୍ଧ୍ର ସୀମାନ୍ତ ଗିରିସୋଲା ପଟେ ଦେଖାଉଥିବାରୁ ଗୋଳନ୍ଥରା ଥାନାକୁ ଖବର ଦିଆଯାଇଥିଲା। ଗୋଳନ୍ଥରା ଥାନା ପୁଲିସ ଗିରିସୋଲା ସୋରଳ ରୋଡ଼ ନିକଟରୁ ଭ୍ୟାନ୍ଟି ଠାବ କରିଥିଲା। ଭ୍ୟାନ୍ରେ ଡ୍ରାଇଭର୍ ଆଶିଷ ଦିଗାଲ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କୁ ପ୍ରଥମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚ ପରେ ଭ୍ୟାନ୍ରୁ ୨୪ଲକ୍ଷ ଟଙ୍କା ଗାଏବ ଥିବା ଜଣାପଡ଼ିଥିଲା। ଡ୍ରାଇଭର୍ ଆଶିଷ ସାମାନ୍ୟ ସୁସ୍ଥ ହେବା ପରେ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ଦୁଇଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭ୍ୟାନ୍ ଅପହରଣ କରି ନେଇଥିଲେ।
ପରେ ତାଙ୍କୁ କିଛି ନିଶା ଦେଇଥିଲେ। ଏହାପରେ ସେ କିଛି ଜାଣି ନଥିବା କହିଥିଲେ। ଡ୍ରାଇଭର୍ଙ୍କ ବୟାନ ଆଧାର କରି ପୁଲିସ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଥିଲା। ହେଲେ ଭ୍ୟାନ୍ରେ ଡ୍ରାଇଭର୍ଙ୍କ ବ୍ୟତୀତ ଅନ୍ୟ କେହି ବସି ନଥିବା ଜଣାପଡ଼ିଥିଲା। ଏଣୁ ପୁଲିସକୁ ଡ୍ରାଇଭର୍ଙ୍କ ଉପରେ ସନ୍ଦେହ ହୋଇଥିଲା। ପୁଲିସ ଡ୍ରାଇଭର୍ଙ୍କୁ ମାରାଥନ୍ ଜେରା କରିବା ପରେ ସେ ଲୁଟ୍ ଘଟଣାକୁ ସ୍ବୀକାର କରିଥିଲା। ସୂଚନା ଯେ, ଭ୍ୟାନ୍ରେ ଥିବା ବିଡ଼ା ବିଡ଼ା ନୋଟ୍ର ଲୋଭରେ ପଡ଼ି ଡ୍ରାଇଭର୍ ଆଶିଷ ରଚିଥିଲା ଅପହରଣର ନାଟକ । ଯୋଜନା ମୁତାବକ ଅପରେସନ୍ ସଫଳ ପରେ ପୁଲିସକୁ ବାଟବଣା କରିବା ପାଇଁ ଘଟଣାକୁ ଭିନ୍ନ ମୋଡ଼ ଦେଇଥିଲା ଆଶିଷ।
Powered by Froala Editor