ବିମାନବନ୍ଦରରେ ମିଳିବ ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜଙ୍କ ଭୋଗ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ମିଳିବ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରର ଭୋଗ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଶୁଖିଲା ଭୋଗକୁ ବିମାନବନ୍ଦର ଟର୍ମିନାଲରେ ବିକ୍ରି କରାଯିବ। ବିମାନବନ୍ଦର ଉପଦେଷ୍ଟା କମିଟି (ଏଏସି) ବୈଠକରେ ଏଭଳି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିମାନବନ୍ଦର ପ୍ରଶାସନିକ କାର୍ୟ୍ୟାଳୟରେ ଉପଦେଷ୍ଟା କମିଟି ବୈଠକ ବସିଥିଲା। ବିମାନବନ୍ଦର ନିର୍ଦ୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରିଆ ବୈଠକରେ ଉପସ୍ଥିତ ଥିଲେ। ଭୁବନେଶ୍ୱରରୁ ଚାରି ଧାମକୁ ବିମାନ ଚଳାଚଳ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବିମାନବନ୍ଦରର ସୌନ୍ଦର୍ୟ୍ୟକରଣ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଥିଲା। ଯାତ୍ରୀଙ୍କୁ ଦିଆଯାଉଥିବା ବିଭିନ୍ନ ସେବା ଓ ସୁବିଧାକୁ ଆହୁରି ବ୍ୟାପକ ଓ ତ୍ୱରିତ କରିବା ନେଇ ନିଷ୍ପତ୍ତି ହୋଇଛି।
ଟର୍ମିନାଲ ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ସଂଖ୍ୟାରେ ଫୁଡ୍ କାଉଣ୍ଟର ଖୋଲାଯିବ । କାର ପାର୍କି ସ୍ଥାନରେ ଲୋକଙ୍କ ସୁବିଧା ପାଇଁ ଚା’ କାଉଣ୍ଟର ଖୋଲିବ। ଭୁବନେଶ୍ୱରରୁ ବିମାନ ଚଳାଚଳ ସଂଖ୍ୟା ବୃଦ୍ଧି ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ବିମାନ ଚଳାଚଳ କ୍ଷମତା ବୃଦ୍ଧି ନେଇ କେନ୍ଦ୍ର ବେସାମରିକ ମନ୍ତ୍ରାଳୟକୁ ଅନୁରୋଧ କରାଯିବ।
Powered by Froala Editor