ଏବେ ନୂଆ ରୂପରେ ଦେଖାଦେବ ମାଷ୍ଟରକ୍ୟାଂଟିନ ଗୋଲେଇ ଛକ
ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡ଼ା ନ ହଟିବା ପାଇଁ ନିଷ୍ପତ୍ତି ହେବା ପରେ ଏହି ଜାଗାକୁ ଏକ ନୂଆ ରୂପ ଦେବା ପାଇଁ ଯୋଜନା ହୋଇଛି । ଏଥିପାଇଁ ସ୍ମାର୍ଟ ସିଟି ପକ୍ଷରୁ ପୂର୍ଣ୍ଣ ରୂପ ଦେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଗତ ଶନିବାର ଏଠାରୁ ଆବର୍ଜନା ସଫା କରାଯାଇ ଥିବା ବେଳେ ବିଏସସିଏଲର ବରିଷ୍ଠ କର୍ମକର୍ତ୍ତାମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଖୁବଶୀଘ୍ର ଏଠାରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହେବା ସହ ଦୁଇମାସ ମଧ୍ୟରେ ଶେଷ ହେବ । ଏହି ସ୍ଥାନ ହିଁ ସ୍ମାର୍ଟ ସିଟିର ପରିଚୟ ବହନ କରିବ ବୋଲି କହିଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ । ସ୍ମାର୍ଟ ଜନପଥ ପ୍ରସ୍ତୁତିରେ ଘୋଡ଼ାକୁ ଏଠାରୁ ଉଠାଇ ନିଆଯିବାକୁ ପ୍ରସ୍ତାବ ଦିଆଯିବା ପରେ ବିଭିନ୍ନ ସ୍ତରରୁ ବିରୋଧ ହୋଇଥିଲା । ଶେଷରେ ଏହାକୁ ନ ଉଠାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ନିଷ୍ପତ୍ତି ପରେ ବିଏସସିଏଲ ଏହାକୁ ସୌନ୍ଦର୍ଯ୍ୟୀକରଣ କରିବାକୁ ନକ୍ସା ପ୍ରସ୍ତୁତ କରିଥିଲା । ବିଏସସିଏଲ ଯୋଜନା ମୁତାବକ, ସମ୍ପୂର୍ଣ୍ଣ ଗୋଲାକାର ଥିବା ଏହି ସ୍ଥାନକୁ ପରିବର୍ତ୍ତନ କରାଯିବ । ଏହାକୁ ଅର୍ଦ୍ଧ ଗୋଲାକାର ଆକୃତି ଦିଆଯିବ । ଚାରିପାଖକୁ ରଙ୍ଗିନ ଆଲୋକମାଳାରେ ସଜାଯିବ । ଷ୍ଟେସନ ପଟୁ, ବାଣୀବିହାର ପଟୁ, ପିଏମଜି ଓ ରାଜମହଲ ପଟୁ ରାତିରେ ଦୂରରୁ ଯେଭଳି ଘୋଡ଼ାଟି ସ୍ପଷ୍ଟ ଦିଶିବ ସେଥିପାଇଁ ଆଲୋକମାଳାରେ ସଜାଯିବ । ଭିତରେ ନାନା ରକମର ଗଛ ଲଗାଯିବ । ଚାରିପାଖର କମ ଉଚ୍ଚତାରେ ଥିବା ପାଚେରିରେ ବିଭିନ୍ନ କାରୁକାର୍ଯ୍ୟ କରାଯିବ ।
Powered by Froala Editor