ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ରୂପ : ୩.୫ କୋଟିଙ୍କୁ ସ୍କାର୍ଟ ହେଲ୍ଥ କାର୍ଡ
ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଲାଗୁ କରାଯିବ। ରାଜ୍ୟର ୩ କୋଟି ୫୦ ଲକ୍ଷ ଲୋକ (ଅର୍ଥାତ୍ ୯୬ ଲକ୍ଷ ପରିବାର)ଙ୍କୁ ଏନେଇ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରାଯିବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ରାଜ୍ୟରେ ପର୍ଯ୍ୟାୟ କ୍ରମେ ଏହି କାର୍ଡ ଦିଆଯିବ। ଏହି ସ୍କାର୍ଟ ହେଲ୍ଥ କାର୍ଡ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା, ଅନ୍ନପୂର୍ଣ୍ଣା ଓ ଅନ୍ତ୍ୟୋଦୟ ହିତାଧିକାରୀ ସମସ୍ତଙ୍କୁ ଏହି କାର୍ଡ ମିଳିବ। ବିଜୁ ସ୍ବାସ୍ଥ୍ୟ ଯୋଜନାରେ ଥିବା ବ୍ୟବସ୍ଥା ଅନୁଯାୟୀ, ଏଥିରେ ପ୍ରତିବର୍ଷ ପରିବାର ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଓଡ଼ିଶା ସମେତ ଦେଶର ୨୦୦ରୁ ଅଧିକ ବଡ଼ ଡାକ୍ତରଖାନାରେ ମିଳିବ।
ପ୍ରଦର୍ଶନୀ ପଡ଼ିଆରେ ରବିବାର ୭୫ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ କହିଥିଲେ ଯେ ‘ସାରା ଓଡ଼ିଶା ମୋ ପରିବାର’। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ଓ ସୁନା ଗହଣା ବିକିବା ଏବଂ ପିଲାଙ୍କ ପାଠ ପଢ଼ା ବନ୍ଦ କରିବା ଖବର ମିଳେ ସେତେବେଳେ ମତେ ବହୁତ କଷ୍ଟ ଲାଗେ। ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ନିରାପତ୍ତାକୁ ଅଧିକ ସୁଦୃଢ଼ କରିବାରେ ଏହା ସହାୟକ ହେବ।
ଭାରତର ଗଣତନ୍ତ୍ରକୁ ସବୁଠାରୁ ବଡ଼ ସଫଳତା ଭାବେ ବର୍ଣ୍ଣନା କରି ଦେଶର ବିକାଶ ପ୍ରକ୍ରିୟାରେ ଏହା ସମସ୍ତଙ୍କୁ ଭାଗୀଦାର କରିବାରେ ସଫଳ ହୋଇଥିବା ସେ ପ୍ରକାଶ କରିଥିଲେ। ଟୋକିଓରେ ଭାରତୀୟ ହକି ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ଭାରତୀୟ ହକି ଦଳକୁ ବିଶ୍ୱର ଶ୍ରେଷ୍ଠ ହକି ଦଳ ଭାବେ ଗଢ଼ି ତୋଳିବା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତରଣ ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ୧୦୭୨ ବିଦ୍ୟାଳୟର ରୂପାନ୍ତର କରାଯାଇଛି। ମୋ ସ୍କୁଲ ଅଭିଯାନରେ ୫ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୩୨ ହଜାରରୁ ଅଧିକ ବିଦ୍ୟାଳୟର ବିକାଶ ପାଇଁ ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
କରୋନାକୁ ବିଶ୍ୱ ଇତିହାସର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ବର୍ଣ୍ଣନା କରି ଏହାର ସଫଳ ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଓଡ଼ିଶାର ଗୌରବମୟ ଭବିଷ୍ୟତ ଉପରେ ଆଲୋକପାତ କରି ସେ କହିଥିଲେ, ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ ସଫଳତା ହାସଲ କରୁଛି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଗାମୀ ଦିନରେ ତା’ର ପରିଚୟକୁ ଆହୁରି ଉଜ୍ୱଳ କରିପାରିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।
Powered by Froala Editor