ଆଜିଠାରୁ ଶ୍ରେଣୀଗୃହରେ ଆରମ୍ଭ ହେଲା ୟୁଜି ପିଜି ଛାତ୍ରଛାତ୍ରୀଙ୍କର ପାଠପଢ଼ା
ଭୁବନେଶ୍ୱର: ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରି-ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜିଠାରୁ ଶ୍ରେଣୀଗୃହରେ ଶିକ୍ଷାଦାନ କରାଯିବ। ଏହା ସହ ହଷ୍ଟେଲ ମଧ୍ୟ ଖୋଲାଯିବ। ଚଏ ଓ ଟଏ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନଲାଇନ୍ ମୋଡରେ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲିବ। କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରାଯିବ। କରୋନା ଯୋଗୁଁ ଏପର୍ୟ୍ୟନ୍ତ ପ୍ରଥମ ସେମିଷ୍ଟାର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ। ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଇଣ୍ଟରନାଲ୍ ଆସେସ୍ମେଣ୍ଟ ମଧ୍ୟ ହୋଇ ନାହିଁ। ଏଭଳି ସ୍ଥଳେ ପରୀକ୍ଷା କରିବାକୁ ବିଶ୍ଵବିଦ୍ୟାଳୟଗୁଡ଼ିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କଲେଜ ଖୋଲିବା ପୂର୍ବରୁ ସମସ୍ତ କ୍ଲାସରୁମକୁ ସାନିଟାଇଜ କରାଯାଇଛି, ଏହାସହ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି କଲେଜ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି।
Powered by Froala Editor