ଅଲିମ୍ପିକ ବିଜେତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କଲେ ରାଷ୍ଟ୍ରପତି

ନିକଟରେ ଟୋକିଓରୁ ଫେରିଥିବା ଭାରତୀୟ ଅଲିମ୍ପିକ୍ସ କଣ୍ଟିଜେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଷ୍ଟ୍ରପତି ଭବନର ହାଇଟିରେ ଏହି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ ଓ ଆପ୍ୟାୟିତ କରାଯାଇଛି । ପଦକ ବିଜେତା ଖେଳାଳି ଓ ଭାରତୀୟ ହକି ଦଳ ସହିତ କୋବିନ୍ଦ କଥା ବାର୍ତ୍ତା କରିବା ପରେ ସମଗ୍ର ଦେଶ ସେମାନଙ୍କ ପାଇଁ ଗର୍ବିତ ବୋଲି କହିଥିଲେ ।
ଭାରତର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଥଲେଟ୍ ନୀରଜ ଚୋପ୍ରା ଏବଂ ବ୍ୟାଡମିଣ୍ଟନ୍ ଏସ୍ ପିଭି ସିନ୍ଧୁଙ୍କ ପରି ଟୋକିଓ ୨୦୨୦ ର ତାରକାଙ୍କ ସମେତ ଏହି ଦଳ ଏକତ୍ରିତ ହୋଇଥିଲେ। ଏହି ସମୟରେ ରାଷ୍ଟ୍ରପତି କୋବିନ୍ଦ ଅଂଶଗ୍ରହଣକାରୀଙ୍କୁ କହିଛନ୍ତି ଯେ ସମଗ୍ର ଦେଶ ଆମର ଅଲିମ୍ପିଆନ ମାନଙ୍କ ପାଇଁ ଗର୍ବିତ।
ଭାରତୀୟ ଅଲିମ୍ପିକ୍ ଇତିହାସରେ ଟୋକିଓ-୨୦୨୦ ସବୁଠାରୁ ସଫଳ ଅଲିମ୍ପିକ୍ସ ରହିଥିଲା । ଭାରତ ଏହି ଅଲିମ୍ପିକ୍ସରେ ୭ଟି ପଦକ ହାସଲ କରିବା ସହିତ ନିଜର ସମସ୍ତ ପୂର୍ବତନ ରେକର୍ଡ ଭାଙ୍ଗିଥିଲା । ଚଳିତ ସଂସ୍କରଣରେ ଭାରତର ନୀରଜ ଚୋପ୍ରା ଏକମାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ବ୍ୟତିତ ସାଇଖୋମ ମୀରାବାଇ ଚାନୁ(ଭାରୋତ୍ତଳନ), ରବି ଦାହିୟା(କୁସ୍ତି) ରୌପ୍ୟ ପଦକ ହାସଲ କରିଥିଲେ । ପିଭି ସିନ୍ଧୁ(ବ୍ୟାଡମିଣ୍ଟନ), ଲଭଲିନା ବୋର୍ଗୋହେନ୍ମ(ବକ୍ସିଂ), ଭାରତୀୟ ପୁରୁଷ ହକି ଦଳ ଓ ବଜରଙ୍ଗ ପୁନିଆ(କୁସ୍ତି)ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ତେଣୁ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଅଲିମ୍ପିକ୍ସ ପଦକ ବିଜେତା ଆଥଲେଟଙ୍କୁ ଆପ୍ୟାୟିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
Powered by Froala Editor