ସୁଭଦ୍ରାକୁ ପାଇ ବଳିଆ ଦୁଃଖ ଭୁଲିଗଲା ଜଗା

ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆ ପରସ୍ପରଠୁ ଅଲଗା ହୋଇଥିଲେ ମଧ୍ୟ କେହି କାହାକୁ ଛାଡ଼ି ଦଣ୍ଡେ ରହି ପାରୁ ନ ଥିଲେ। ହେଲେ ଜଗାକୁ ଏକୁଟିଆ କରି ଚାଲିଗଲା ବଳିଆ। ସେ ଆଖି ବୁଜିବା ପରେ ଏକୁଟିଆ ହୋଇଯାଇଥିବା ଜଗା ମୁହଁରେ ଏବେ ଫୁଟିଛି ହସ । ଗତ ୭ ତାରିଖ ଦିନ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗାର ମା ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ନେଇଛି ସୁଭଦ୍ରା। ସୁଭଦ୍ରାକୁ ଦେଖି ଜଗା ବହୁତ ଖୁସି ଥିବା ବେଳେ ଭୁଲି ଯାଇଛି ବଳିଆ ଯିବାର ଦୁଃଖ। କେତେବେଳେ ସେ କୁନି ଭଉଣୀକୁ ହାତରେ ଧରିବାକୁ ଚେଷ୍ଟା କରୁଛି ତ କେତେବେଳେ ଗେଲ କରି ଦେଉଛି। ତାର ଦୈନିନ୍ଦିନ ରୁଟିନ୍ ମଧ୍ୟ ବଦଳିଗଲାଣି । ସେ ଆଉ ବାହରକୁ ବୁଲିଯାଉନି କି ବାପାଙ୍କ ସହ ଆଉ ଖେଳୁନି। ସେ କେବଳ ଭଉଣୀକୁ ପାଖରେ ଜଗି ବସୁଛି। ରୁମକୁ ମଧ୍ୟ କାହାକୁ ଛାଡୁନି। ଡାକ୍ତର ମନା କରିଛନ୍ତି କହି ରୁମକୁ ଆସନି କରୋନା ହେବ ବୋଲି କହୁଛି ଜଗା। ବଳିଆ ଗଲା ପରେ ମଧ୍ୟ ଜଗାର ଅବସ୍ଥା ଦେଖି ଡାକ୍ତର, ବାପା ଓ ମାଆ ଚିନ୍ତିତ ହୋଇପଡ଼ିଥିଲେ। ଏବେ କିନ୍ତୁ ଜଗାର ପରିବର୍ତ୍ତନ ଦେଖି ସମସ୍ତେ ଖୁସି। ପୁଣି ତାର ଅପରେସନ ପାଇଁ ଜଗା କରୋନା ସରିଲେ ଦିଲ୍ଲୀ ଯିବ।
ସୂଚନାଯୋଗ୍ୟ, ଜଗା-ବଳିଆଙ୍କୁ ପରସ୍ପରଠାରୁ ଅଲଗା କରିବାକୁ ଦିଲ୍ଲୀ ଏମ୍ସରେ କରାଯାଇଥିଲା ଅସ୍ତ୍ରୋପଚାର। ପ୍ରଥମ ଅସ୍ତ୍ରୋପଚାର ୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ କରାଯାଇଥିବା ବେଳେ ଦ୍ୱିତୀୟ ଅସ୍ତ୍ରୋପଚାର ଅକ୍ଟୋବର ୨୫ ତାରିଖରେ କରାଯାଇଥିଲା । ଏହାପରେ ଦୀର୍ଘ ଦିନ ଦିଲ୍ଲୀ ଏମସ୍ରେ ଚିକିତ୍ସାଧୀନ ରହିବା ପରେ ଜଗା-ବଳିଆଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଧୀରେ ଧୀରେ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଗଲା। ପରେ ତା’ର ମୃତ୍ୟୁ ହୋଇଯାଇଥିଲା। ସୁଭଦ୍ରା ଆସିଲା ପରେ ଜଗା ଚଳଚଞ୍ଚଳ ହୋଇପଡ଼ିଛି।
Powered by Froala Editor