ଚେନାବ ନଦୀରେ ନିର୍ମାଣ ହେଉଛି ବିଶ୍ୱର ସବୁଠୁ ଉଚ୍ଚ ନଦୀପୋଲ

ଜମ୍ମୁ କାଶ୍ମୀରରେ ରିଆସି ଜିଲ୍ଲା ବକ୍କାଲ ଏବଂ କାଉରି ମଧ୍ୟରେ ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠୁ ଉଚ୍ଚ ନଦୀପୋଲ । ନଦୀଶଯ୍ୟା ଠାରୁ ୩୫୯ ମିଟର ବା ୧,୧୭୮ ଫୁଟ ଉଚ୍ଚରେ ଥିବା ଏହି ପୋଲର ନିର୍ମାଣକାର୍ଯ୍ୟ ୨୦୧୭ ନଭେମ୍ବରରୁ ଆରମ୍ଭ ହୋଇଥିବାବେଳେ ଗତ ଏପ୍ରିଲ ମାସରେ ଏହାର ଚାପ ନିର୍ମାଣ ସରିଛି । ଜମ୍ମୁ ନିକଟ ଉଦ୍ଧାମପୁର ଓ କାଶ୍ମୀରର ବାରମୂଳକୁ ସଂଯୋଗ କରୁଥିବା ଏହି ପୋଲର ମୋଟ ଦୈର୍ଘ୍ୟ ୧,୩୧୫ ମିଟର ଥିବାବେଳେ ଚାପର ଦୈର୍ଘ୍ୟ ୪୮୦ ମିଟର ରହିଛି । ଭାରତୀୟ ରେଳବାଇ ଦ୍ୱାରା ନିର୍ମାଣ ଚାଲିଥିବା ଏହି ପୋଲର ବ୍ୟୟ ଅଟକଳ ୫୧୨ କୋଟି ଟଙ୍କା ରହିଛି । ତେବେ ପାର୍ବତ୍ୟାଞ୍ଚଳରେ ଏହାର ସଂଯୋଗ ପାଇଁ ମୋଟ ୬୩ କିମିର ସଂଖ୍ୟାଧିକ ସୁଡ଼ଙ୍ଗ ଓ ସାଢ଼େ ୭ କିମି ଦୈର୍ଘ୍ୟର ଏକାଧିକ ଛୋଟ ଛୋଟ ପୋଲ ନିର୍ମାଣ ପରି କଷ୍ଟସାଧ୍ୟ କାର୍ଯ୍ୟ ମଧ୍ୟ ରହିଛି । ଆସନ୍ତା ବର୍ଷ ଡିସେମ୍ବରରେ ଏହା ଲୋକାର୍ପିତ ହେବ ବୋଲି ସୂଚନା ରହିଛି ।
Powered by Froala Editor