ତୃତୀୟ ଲହର:ଶିଶୁଙ୍କୁ ନେଇ ହେଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ
ଭୁବନେଶ୍ବର : ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ସବୁ ଶିଶୁଙ୍କର ହେବ ଆର୍ଟି-ପିସିଆର୍ ପରୀକ୍ଷା। ଶିଶୁ ୱାର୍ଡରେ ଆଡମିସନ୍ ହେବା ପୂର୍ବରୁ ଶିଶୁମାନଙ୍କ ପରୀକ୍ଷାକୁ ସୁନିଶ୍ଚିତ କରାଯିବ। ରାଜ୍ୟସ୍ତରୀୟ ଶିଶୁ କୋଭିଡ କେୟାର ଟାସ୍କ ଫୋର୍ସ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ତୃତୀୟ ଲହରର ମୁକାବିଲା କରିବା ଲାଗି ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତେଣୁ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏ ନେଇ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଟାସ୍କ ଫୋର୍ସ ଗଠନ ହେବ। ଏଥିରେ ସିଡିଏମ୍ଓଙ୍କ ସମେତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଓ ନିଶ୍ଚେତକ ବିଶେଷଜ୍ଞ ସାମିଲ ରହିବେ। କିଭଳି ସ୍ବାବ୍ ନମୁନା ସଂଗ୍ରହ କରାଯିବ ଜିଲ୍ଲାପାଳମାନେ ଏ ସଂକ୍ରାନ୍ତରେ ସପ୍ତାହରେ ଥରେ ବୈଠକ କରିବା ଲାଗି କୁହାଯାଇଛି। ଏହାସହ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ଏ ସଂକ୍ରାନ୍ତୀୟ ସମସ୍ତ ରଣନୀତି ପ୍ରସ୍ତୁତ ସହିତ ନିରୀକ୍ଷଣ କରିବା ଲାଗି କୁହାଯାଇଛି। ଯେ କୌଣସି ପ୍ରକାର ଲକ୍ଷଣ ଥାଉ ନା କାହିଁକି, ଶିଶୁଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଯାହାଫଳରେ କେଉଁ ବର୍ଗର ଶିଶୁ କରୋନାରେ ପ୍ରଭାବିତ ହେଉଛନ୍ତି, ତାହା ସ୍ପଷ୍ଟ ହୋଇପାରିବ। ହସ୍ପିଟାଲରେ କୋଭିଡ ସ୍କ୍ରିନିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି।
୧୮ବର୍ଷରୁ କମ୍ ଶିଶୁଙ୍କ ପାଇଁ ଏ ପର୍ୟ୍ୟନ୍ତ କୌଣସି ଟିକା ପ୍ରସ୍ତୁତ ହୋଇନାହିଁ। କିଛି ଟିକା ପ୍ରସ୍ତୁତକାରୀ କମ୍ପାନି ଏବେ ନିଜର ପରୀକ୍ଷଣ ଆରମ୍ଭ କରିଛନ୍ତି। ରାଜ୍ୟରେ ୧୮ବର୍ଷରୁ କମ୍ ୧.୪ କୋଟି ଜନସଂଖ୍ୟା ରହିଛି। ନିକଟରେ ଆଇସିଏମ୍ଆର ପକ୍ଷରୁ ରାଜ୍ୟର ୩ଟି ଜିଲ୍ଲାରେ ହୋଇଥିବା ସେରୋ ସର୍ବେକ୍ଷଣରେ ୧୦-୧୭ବର୍ଷର ଶିଶୁଙ୍କଠାରେ ୫୫ ପ୍ରତିଶତ ଆଣ୍ଟିବଡି ଓ ୬-୯ବର୍ଗରେ ୫୨ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ରାଜ୍ୟର ସମୁଦାୟ ୩.୧ କୋଟି ଜନସଂଖ୍ୟାକୁ ଟିକା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତହିଁରୁ ୧.୮୬ କୋଟି ଲୋକ ଅତିକମ୍ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଥିବା ବେଳେ ୪୩ଲକ୍ଷ ଲୋକ ଉଭୟ ଡୋଜ୍ ଟିକା ନେଇ ସାରିଛନ୍ତି।
Powered by Froala Editor