ଖୁସି ଖବର: ପୂରଣ ହେବ ୧୧ ହଜାର ୪୫୦ ଶିକ୍ଷକ ପଦବୀ
ଭୁବନେଶ୍ୱର: ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲି ପଡ଼ିଥିବା ୧୧ ହଜାର ୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ପ୍ରକି୍ରୟା ଆରମ୍ଭ କରିବାକୁ ଯାଉଛନ୍ତି । ୩ଟି ପର୍ଯ୍ୟାୟରେ ଏହି ପଦବୀ ଗୁଡ଼ିକ ପୂରଣ ହେବ । ପ୍ରଥମ ପର୍ଯ୍ୟାୟରେ ୪ ହଜାର ୬୧୯ ଶିକ୍ଷକ ପଦବୀ ପୂରଣ ପାଇଁ ଆସନ୍ତା ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଯେଉଁଥିରେ ୨୦୫୫ ଜଣ ହିନ୍ଦୀ, ୧୩୦୪ ଜଣ ସଂସ୍କୃତ ଓ ୧୨୬୦ ଜଣ ପିଇଟି ଶିକ୍ଷକ ନିଯୁକ୍ତ ହେବେ । ସେହିପରି ତୃତୀୟ ପର୍ଯ୍ୟାୟରେ ୬୦୬୫ ଜଣ ଟିଜିଟି ଓ ତେଲୁଗୁ ଶିକ୍ଷକ, ତୃତୀୟ ପର୍ଯ୍ୟାୟରେ ୯୪୦ ଟି ନୂତନ ଭାବେ ସୃଷ୍ଟି ହୋଇଥିବା ଟିଜିଟି, କ୍ଲାସିକାଲ ଓ ହିନ୍ଦୀ ଶିକ୍ଷକ ନିଯୁକ୍ତ ହେବେ । ଏହି ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଉଚ୍ଚ ବିଦ୍ୟାଳୟରେ ଏବେ ଶିକ୍ଷକଙ୍କ ଘୋର ସଂକଟ ଦେଖାଦେଇଛି । ୫ ବର୍ଷ ହେଲା ନିଯୁକ୍ତି ପ୍ରକି୍ରୟା ହୋଇନଥିବାରୁ ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ଆଦି ପଦବୀ ଖାଲି ପଡିଛି । ୨୦୧୬ରେ ହିନ୍ଦୀ, ସଂସ୍କୃତ, ପିଇଟି ଓ ୨୦୧୯-୨୦ରେ ଟିଜିଟିକୁ ମିଶାଇ ମୋଟ ୨୭୪୦ ପଦ ଲାଗି ନିଯୁକ୍ତି ପ୍ରକି୍ରୟା ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୩୦୦ ଜଣ ନିଯୁକ୍ତ ହୋଇଥିଲେ । ସେବେଠାରୁ ଆଉ ନିଯୁକ୍ତି ହୋଇନଥିବାରୁ ଖାଲି ଶିକ୍ଷକ ପଦ ବଢ଼ି ଚାଲିଛି । ଫେବୃୟାରୀ ପହିଲା ସୁଦ୍ଧା ରାଜ୍ୟରେ ୧୨ ହଜାର ୫୦୦ ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ପଦ ଖାଲି ରହିଥିଲା । ଇତିମଧ୍ୟରେ ଆହୁରି ହଜାରେରୁ ଅଧିକ ଶିକ୍ଷକ ଅବସର ଗ୍ରହଣ କରିଥିବାରୁ ଖାଲିପଡ଼ିଥିବା ଶିକ୍ଷକଙ୍କ ସଂଖ୍ୟା ପାଖାପାଖି ୧୪ ହଜାରରେ ପହଞ୍ଚିଛି । ଯାହାକି ମୋଟ ଅନୁମୋଦିତ ଶିକ୍ଷକ ପଦବୀର ୩୮% ହେବ । ଏତେ ସଂଖ୍ୟକ ବିଷୟ ଭିତ୍ତିକ ପଦ ଖାଲିପଡ଼ିବା ଏବେ ଚିନ୍ତାର ବିଷୟ ପାଲଟିଛି । ତାହାକୁ ନଜରରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ତୁରନ୍ତ ପଦ ପୂରଣ କରିବାକୁ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।
Powered by Froala Editor