ପ୍ଲାଷ୍ଟିକ ପତକା ବ୍ୟବହାର ଉପରେ ରୋକ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ସମାରୋହ ପୂର୍ବରୁ ପ୍ଲାଷ୍ଟିକ ପତାକା ବ୍ୟବହାର ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି । ଏହି ମର୍ମରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖାଯାଇଛି । ସେଥିରେ କୁହାଯାଇଛି କି ପ୍ଲାଷ୍ଟିକ ସାମଗ୍ରୀରେ ତିଆରି କରାଯାଇଥିବା ଜାତୀୟ ପତାକାକୁ ଠିକ ଭାବେ ଡିସ୍ପୋଜାଲ ସୁନିଶ୍ଚିତ କରିବା ଏକ ବଡ଼ ସମସ୍ୟା । ଚିଠିରେ କୁହାଯାଇଛି ଯେ ଜାତୀୟ ପତାକା ଦେଶବାସୀଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ । ତେଣୁ ସର୍ବଦା ଏହାର ସମ୍ମାନ କରାଯିବା ଆବଶ୍ୟକ । ଜାତୀୟ ପତାକା ପ୍ରତି ସମସ୍ତଙ୍କ ମନରେ ସ୍ନେହ, ଶ୍ରଦ୍ଧା ଓ ଆନୁଗତ୍ୟ ରହିଛି । ତଥାପି ଜାତୀୟ ପତାକା ପ୍ରତି ଲାଗୁ ହେଉଥିବା ଆଇନ ଓ ପରମ୍ପରା ପ୍ରସଙ୍ଗରେ ଲୋକମାନଙ୍କ ସହିତ ବିଭିନ୍ନ ସରକାରୀ ସଂଗଠନ ଓ ଏଜେନ୍ସିମାନଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଜାତୀୟ ସ୍ତରୀୟ ଉତ୍ସବ, ସମାରୋହ ଓ ଖେଳ ସମୟରେ କାଗଜ କିମ୍ବା କପଡ଼ାରେ ପ୍ରସ୍ତୁତ ଜାତୀୟ ପତାକା ବଦଳରେ ପ୍ଲାଷ୍ଟିକ ସାମଗ୍ରୀରେ ପ୍ରସ୍ତୁତ ପତାକା ଉଡ଼ାଯାଇଛି । ପ୍ଲାଷ୍ଟିକ ପତାକା କାଗଜରେ ତିଆରି ପତାକା ଭଳି ବିଘଟନ ହୋଇନଥାଏ । ତେଣୁ ପ୍ଲାଷ୍ଟିକ ପତାକାକୁ ବିଘଟନ କରିବା କଷ୍ଟକର । ତେଣୁ ଜାତୀୟ ସ୍ତରରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳ ସମୟରେ ଭାରତୀୟ ପତାକା ସଂହିତା ୨୦୨୦ରେ ରହିଥିବା ପ୍ରାବଧାନ ଅନୁସାରେ କେବଳ କାଗଜରେ ପ୍ରସ୍ତୁତ ଜାତୀୟ ପତାକା ବ୍ୟବହାର ସୁନିଶ୍ଚିତ କରାଯିବା ଉଚିତ । କାର୍ଯ୍ୟକ୍ରମ ଶେଷରେ ଏହାକୁ ମାଟିରେ ଏଣେତେଣେ ଫିଙ୍ଗାଯିବା ଆଦୌ ଉଚିତ ନୁହେଁ । ଏହାକୁ ଉପଯୁକ୍ତ ଭାବେ ବିଘଟନ କରାଯିବା ଉଚିତ । କାଗଜରେ ତିଆରି ପତାକା ସହଜରେ ବିଘଟନ ହୋଇପାରିବ ବୋଲି ଉକ୍ତି ଚିଠିରେ ଉଲ୍ଲେଖ କରାଯାଇଛି । ଚିଠି ସହିତ ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଅଧିନିୟମ ୧୯୭୧ ଏବଂ ଭାରତୀୟ ଧ୍ୱଜ ସଂହିତା ୨୦୦୨ର କପି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂଲଗ୍ନ କରାଯାଇଛି ।
Powered by Froala Editor