ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ମାଗଣା ଉଡ଼ାଣ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିମାନଙ୍କୁ ମାଗଣାରେ ବିମାନ ଯାତ୍ରା ସୁବିଧା ମିଳିବ । ଗୋ ଫାର୍ଷ୍ଟ (ଗୋ ଏୟାର) ଓ ଷ୍ଟାର ଏୟାର ରବିବାର ଏହି ଘୋଷଣା କରିଛନ୍ତି । ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ହକି ଦଳର ସମସ୍ତ ସଦସ୍ୟଙ୍କୁ ମଧ୍ୟ ମାଗଣା ଟିକେଟ ମିଳିବ । ଆସନ୍ତା ୫ ବର୍ଷ ପାଇଁ ଏହି ସୁବିଧା ମିଳିବ ବୋଲି ଗୋ ଫାଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ଆଞ୍ଚଳିକ କ୍ଷେତ୍ର ଏୟାରଲାଇନ ଷ୍ଟାର ଏୟାର ପଦକ ବିଜେତାଙ୍କୁ ସାରା ଜୀବନ ମାଗଣାରେ ଭ୍ରମଣ ସୁବିଧା ପ୍ରଦାନ କରିବ ବୋଲି କହିଛି । ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଚାରୋଟି କାଂସ୍ୟ ପଦକ ହାସଲ କରିଛି । ଜାଭେଲିନ ଥ୍ରୋରେ ୨୩ ବର୍ଷୀୟ ନୀରଜ ଚୋପ୍ରା ଶନିବାର ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ।
Powered by Froala Editor