ଡେବ୍ରିଗଡ଼ରେ ପୁଣି ମହାବଳ ବୁଲିଲା
ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଏକ ବିରଳ ଓ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର ସକାଳେ ସଫାରୀ ଜୋନ ମଧ୍ୟରେ ଭ୍ରମଣ କରୁଥିବା ପ୍ରାୟ ୩୦ ଜଣ ପର୍ଯ୍ୟଟକ ଏକ ମହାବଳ ବାଘକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି।
ପ୍ରାକୃତିକ ପରିବେଶ ମଧ୍ୟରେ ମହାବଳ ବାଘର ଏଭଳି ସ୍ପଷ୍ଟ ଦର୍ଶନ ପର୍ଯ୍ୟଟକ ଏବଂ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଛି। ବର୍ତ୍ତମାନ ଡେବ୍ରିଗଡ଼ରେ ୮୫୦ରୁ ଅଧିକ ଗୟଳ ଥିବା ବେଳେ କେବଳ ସଫାରୀ ଜୋନ୍ରେ ୧୦୦ରୁ ଅଧିକ ଗୟଳ ଦେଖିବାକୁ ମିଳୁଛନ୍ତି। ଏହା ସହିତ ସମ୍ବର, ଚିତଲ, ଭାଲୁ ଏବଂ କଲରାପତରିଆ ବାଘଙ୍କର ନିୟମିତ ଉପସ୍ଥିତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
ଗତ ନଭେମ୍ବର ୯ ତାରିଖରେ ଛତିଶଗଡ଼ ପଟୁ ପ୍ରାୟ ୫ ବର୍ଷ ବୟସ୍କ ଏହି ଅଣ୍ଡିରା ମହାବଳ ବାଘଟି ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରବେଶ କରିଥିଲା। ପୂର୍ବରୁ ୨୦୨୨ ଡିସେମ୍ବରରେ ମଧ୍ୟ ଏକ ମହାବଳ ବାଘ ଏଠାକୁ ଆସି ୨୦୨୪ ପର୍ଯ୍ୟନ୍ତ ରହିଥିଲା। ଗତ ଚାରି ବର୍ଷ ମଧ୍ୟରେ ଦୁଇଟି ମହାବଳ ବାଘଙ୍କର ଆଗମନ ଜୈବ ବିବିଧତା ଓ ସୁରକ୍ଷିତ ବାସସ୍ଥଳୀର ପ୍ରମାଣ ଦେଉଛି। ୨୦୨୨ରୁ ୨୦୨୬ ମଧ୍ୟରେ ଅଭୟାରଣ୍ୟ ଭିତରେ ଥିବା ପ୍ରାୟ ୪୦୦ ପରିବାରର ସଫଳ ବିସ୍ଥାପନ ଓ ଥଇଥାନ ଯୋଗୁଁ ୨୦୨୩ ମସିହାରୁ ଡେବ୍ରିଗଡ଼ ସମ୍ପୂର୍ଣ୍ଣ ଭାବେ ଜନବସତି ମୁକ୍ତ ହୋଇପାରିଛି।
Powered by Froala Editor