ଗୋଗ୍ରା ହାଇଟସରୁ ଭାରତ-ଚୀନ ସେନା ପ୍ରତ୍ୟାହାର
ନୂଆଦିଲ୍ଲୀ : ପୂର୍ବ ଲଦାଖର ଗୋଗ୍ରା ହାଇଟସରୁ ଉଭୟ ଭାରତ ଓ ଚୀନ ଶୁକ୍ରବାର ଦିନ ସେନା ପ୍ରତ୍ୟାହାର କରିନେଇଛନ୍ତି । ଗତ ଶନିବାର ଦୁଇ ଦେଶ ମଧ୍ୟରେ ହୋଇଥିବା କମାଣ୍ଡରସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ସମସ୍ତ ଅସ୍ଥାୟୀ ନିର୍ମାଣ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଶୁକ୍ରବାର ସଂପୃକ୍ତ ଅଂଚଳରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ପୂର୍ବ ଲଦାଖର ଏହି ଅଞ୍ଚଳରେ ଉଭୟ ପଟୁ ପ୍ରାୟ ୧୫ ମାସ ହେଲା ବିପୁଳ ସୈନ୍ୟ ମୁତୟନ କରାଯିବା ସହ ଅନେକ ନିର୍ମାଣ କାର୍ଯ୍ୟ ମଧ୍ୟ ହୋଇଥିଲା । ତେବେ ଏଠାରେ ବିବାଦ ପୂର୍ବରୁ ରହିଥିବା ଯଥାସ୍ଥିତି ଫେରାଇ ଆଣିବା ନିମନ୍ତେ କମାଣ୍ଡରସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଏବେ ଶାନ୍ତି ଫେରିଛି । ସେନା ପ୍ରତ୍ୟାହାର ଏବଂ ନିର୍ମାଣ ହଟାଯିବା ମାମଲାରେ ଉଭୟ ପକ୍ଷ ସ୍ଥିତି ଯାଞ୍ଚ କରିଛନ୍ତି ଏବଂ ସମଗ୍ର ଗୋଗ୍ରା ହାଇଟସ ପୂର୍ବ ସ୍ଥିତିକୁ ଫେରିଥିବା ଘୋଷଣା କରାଯାଇଛି । ଗ୍ରୋଗ୍ରା କ୍ଷେତ୍ରରେ ଶାନ୍ତି ଫେରାଇ ଆଣିବା ପ୍ରକ୍ରିୟା ସଫଳ ହୋଇଥିବା ବେଳେ ଏବେ କେବଳ ଆଉ ୨ଟି ଅଞ୍ଚଳକୁ ନେଇ ଉତ୍ତେଜନା ଲାଗି ରହିଛି । ତାହା ହେଲା ଡେପସାଙ୍ଗ ଏବଂ ହଟସ୍ପ୍ରିଙ୍ଗ । ପୂର୍ବରୁ ଗଲୱାନ ଏବଂ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିବାରୁ ସେଠାରେ ଏବେ କୌଣସି ଉତ୍ତେଜନା ନାହିଁ । ଆଗାମୀ ଦିନରେ ହଟ ସ୍ପ୍ରିଙ୍ଗସ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ମଧ୍ୟ ବୈଠକ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏଥିପାଇଁ କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ । ହଟ ସ୍ପ୍ରିଙ୍ଗ୍ସ ଏବଂ ଡେପସାଙ୍ଗ୍ ଅଞ୍ଚଳରେ ଚୀନ ଦ୍ୱାରା ସୃଷ୍ଟି କରାଯାଇଥିବା ବିବାଦର ସମାଧାନ ପାଇଁ ଭାରତ କଡ଼ା ସର୍ତ୍ତ ରଖିଛି । ଚୀନ ଲଗାତାର ଉତ୍ତେଜନା ବଢ଼ାଇବା ଭଳି କାମ କରୁଛି । ଦୁଇ ଦେଶ ମଧ୍ୟରେ ସଂପର୍କରେ ସୁଧାର ପାଇଁ ହଟସ୍ପ୍ରିଂ ଅଞ୍ଚଳରୁ ସେନା ପ୍ରତ୍ୟାହାର ଜରୁରୀ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ।
Powered by Froala Editor