‘୬ ମାସ ପାଇଁ ସତର୍କ ରହିବାକୁ ପଡ଼ିବ’
ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ କହିଛନ୍ତି, ଭାଇରସ ଲଗାତାର ରୂପ ବଦଳାଉଛି । ଆଗକୁ ଡେଲଟାଠାରୁ ବି ଆହୁରି ଭୟଙ୍କର ପ୍ରଜାତି ଆସିପାରେ । ତେଣୁ ଆମକୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବା ସଂକ୍ରାନ୍ତ ଆଶଙ୍କାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ଡାକ୍ତର ସୌମ୍ୟା କହିଛନ୍ତି, ଶିଶୁଙ୍କ ଶରୀରରେ କୋଭିଡ ଏଣ୍ଟିବଡି ରହିଛି । ଆଇସିଏମ୍ଆର ସେରୋସର୍ଭେ ତଥ୍ୟ ପ୍ରମାଣ କରିଦେଇଛି ଯେ, ଦେଶରେ ଅଧିକାଂଶ ଶିଶୁ କୋଭିଡ ଦ୍ୱାରା ସାମାନ୍ୟ ଭାବେ ପ୍ରଭାବିତ ହୋଇଛନ୍ତି । ତେବେ ପ୍ରଥମ ଦୁଇ ଲହରରେ ଶିଶୁ ଅଧିକ ପ୍ରଭାବିତ ହୋଇନଥିବାରୁ ଆଗାମୀ ଲହରରେ ସେମାନେ ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି । ଏଦିଗରେ କୌଣସି ବିଜ୍ଞାନ ସମ୍ମତ ପ୍ରମାଣ ନାହିଁ ବୋଲି ଡାକ୍ତର ସ୍ୱାମୀନାଥନ କହିଛନ୍ତି । ସମସ୍ତେ କଟକଣା ମଧ୍ୟରେ ବ୍ୟସ୍ତ ହୋଇଗଲେଣି ଏବଂ ନିଜ ନିଜ ବନ୍ଧୁ ପରିଜନଙ୍କୁ ଭେଟିବା ଏବଂ ଖୁସି ମନାଇବାକୁ ଚାହୁଛନ୍ତି । କିନ୍ତୁ ଏବେ କଟକଣା କୋହଳ କଲେ ଚଳିବ ନାହିଁ । ଆଗାମୀ ୬ ମାସ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଆଗାମୀ ୬ ମାସରେ ଭାଇରସ ଚାଲିଯିବ ନାହିଁ କିନ୍ତୁ ଟିକାକରଣ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ଭାରତ ଏବେ ଦ୍ୱିତୀୟ ଲହର ଶୀର୍ଷ ଏବଂ ଏକ ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ରହିଛି । ତୃତୀୟ ଲହର ଆସନ୍ତା ଅକ୍ଟୋବରରେ ଶୀର୍ଷ ଛୁଇଁବ ବୋଲି କୁହାଯାଉଛି ।
Powered by Froala Editor