ଜେଇଇ ମେନରେ ଅମନ ପଣ୍ଡା ଓଡ଼ିଶା ଟପ୍ପର

ଭୁବନେଶ୍ୱର : ଦେଶର ବିଭିନ୍ନ ଇଞ୍ଜିନିୟରିଂ (ବି.ଇ / ବି.ଟେକ) ପାଠ୍ୟକ୍ରମରେ ନାମ ଲେଖା ଲାଗି ଜୁଲାଇରେ ଅନୁଷ୍ଠିତ ଜେଇଇ ମେନ-୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଅମନ ପଣ୍ଡା ୯୯.୯୧ ପର୍ସେଣ୍ଟାଇଲ ରଖି ଓଡ଼ିଶା ଟପର ହେବା ସୌଭାଗ୍ୟ ହାସଲ କରିଛନ୍ତି । ଜୁଲାଇ ୨୦, ୨୨, ୨୫ ଓ ୨୭ ତାରିଖରେ ହୋଇଥିବା ଏହି ପରୀକ୍ଷାରେ ସାରା ଦେଶରୁ ୭ ଲକ୍ଷ ୯ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୭ଜଣ ଶତ ପ୍ରତିଶତ ଏନଟିଏ ସ୍କୋର କରିଛନ୍ତି । ସେମାନେ ହେଲେ ଆନ୍ଧ୍ରପ୍ରଦେଶର କେ ଲୋକେଶ, ଡିଭି ପାନେସ, ପସଲା ବୀର ଶିବା, କେ ଏନ ନାଇଡୁ, ବିହାରର ବୈଭବ ବିଶାଲ, ରାଜସ୍ଥାନର ଅଂଶୁଲ ବର୍ମା, ଦିଲ୍ଲୀର ରୁଚିର ବଂଶଲ, ପ୍ରଭାକର କାଟାରିଆ, ହରିଆଣାର ହର୍ଷ, ଅନମୋଲ, କର୍ଣ୍ଣାଟକର ଗୌରବ ଦାଶ, ତେଲେଙ୍ଗାନାର ପି ଏଲ ସାଇଲୋକେଶ ରେଡ୍ଡୀ, ଏମ ଏ ରେଡ୍ଡୀ, ଭିଭିକେ ଭାଦିକ, ଜେ ଭି ଆଦିତ୍ୟ, ଉତ୍ତରପ୍ରଦେଶର ପଲ ଅଗ୍ରୱାଲ ଓ ଅମିୟ ସିଂଘଲ । ଦେଶର ୩୩୪ ସହରର ୯୧୫ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶ ବାହାରେ ୧୨ଟି ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ମହାରାଷ୍ଟ୍ରର ବିଭିନ୍ନ ସହରରେ ବନ୍ୟା ଯୋଗୁଁ ୧୮୯୯ ଜଣ ଛାତ୍ରଛାତ୍ରୀ ନିର୍ଧାରିତ ସମୟରେ ଜେଇଇ ମେନ ଦେଇପାରି ନ ଥିଲେ । ଯେଉଁଥିପାଇଁ ଅଗଷ୍ଟ ୩ ଓ ୪ରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜରାଟୀ, ଆସାମୀ, ବେଙ୍ଗଲୀ, କନ୍ନଡ଼, ମାଲାୟଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଊର୍ଦ୍ଧୁ ଭାଷାରେ ଏହି ପରୀକ୍ଷା କରାଯାଇଥିଲା ।
Powered by Froala Editor