ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି
ଭାରତ ଭ୍ରମଣରେ ଆସୁଥିବା ବିଦେଶୀ ଦମ୍ପତି ଭାରତରୁ ଅଟୋ କିଣି ନିଜ ଦେଶକୁ ଫେରିଛନ୍ତି । ଲିଲି ଓ କାଲମ୍ ଭାରତ ଗସ୍ତ ସମୟରେ କିଣିଥିବା ଏକ ଅଟୋରିକ୍ସା ପ୍ରେମରେ ପଡ଼ିଗଲେ । ଲାଲ୍ ଓ କଳା ରଙ୍ଗର ଏହି ଅଟୋରେ ସେମାନେ କିଛି ମାସ ଭାରତ ଭ୍ରମଣ କଲେ । କିନ୍ତୁ ଫେରିବା ସମୟରେ ଅଟୋକୁ ଛାଡ଼ିବାକୁ ସେମାନଙ୍କର ମନ ହେଲାନି । ଅଟୋକୁ ସାଙ୍ଗରେ ବ୍ରିଟେନ ନେବାକୁ ସେମାନେ ନିଷ୍ପତ୍ତି ନେଲେ । ଦୀର୍ଘ ୬ ମାସର ଅପେକ୍ଷା ପରେ ସେମାନଙ୍କର ଅତି ପ୍ରିୟ ଅଟୋ ଶେଷରେ ଜାହାଜ ସାହାଯ୍ୟରେ ବ୍ରିଟେନରେ ପହଞ୍ଚିଛି ।
ଦମ୍ପତିଙ୍କ ଅନୁସାରେ, ଭାରତ ଗସ୍ତ ସମୟରେ ସେମାନେ ଅଟୋରେ ବସି ଦେଶରେ ୪,୨୧୮ କିମି ଭ୍ରମଣ କରିଥିଲେ । ଏହି ଭରସାଯୋଗ୍ୟ ସାଥୀ ସେମାନଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲା ଯେ ସେମାନେ ଅତି ସ୍ନେହରେ ଏହାର ନାଁ ଦେଲେ ‘ଟିମି ଦ ଟିନ୍ କ୍ୟାନ୍’ । ‘ଟିଏନ୍ ୦୩ ଏଏ ୪୩୪୨’ ନମ୍ବର ପ୍ଲେଟ୍ଯୁକ୍ତ ଏହି ଅଟୋ ଚେନ୍ନାଇରେ ପଞ୍ଜିକୃତ ହୋଇଥିଲା । ତେବେ ବ୍ରିଟେନରେ ଟିମିକୁ ପହଞ୍ଚାଇବା ଦମ୍ପତିଙ୍କ ପାଇଁ ସହଜ ନ ଥିଲା । ୬ ମାସ ପରେ ଟିମି ଯେତେବେଳେ ବ୍ରିଟେନ ବନ୍ଦରରେ ପହଞ୍ଚିଲା, ଉଭୟଙ୍କ ଖୁସିର ଠିକଣା ରହିଲାନି ।
ଏଥିରେ ବିଶ୍ୱ ଭ୍ରମଣ କରିବାକୁ ସେମାନେ ଆଶା ବାନ୍ଧିଛନ୍ତି । କିନ୍ତୁ ଦୁଃଖର କଥା ହେଉଛି ଦେଶରେ ପହଞ୍ଚିବା ସତ୍ତେ୍ୱ ଟିମିକୁ ସେମାନେ ଘରକୁ ନେଇ ପାରିନାହାନ୍ତି । ବ୍ରିଟେନର କଠୋର ପରିବହନ ଓ କଷ୍ଟମ୍ ନିୟମ ଯୋଗୁ ଭାରତୀୟ ଅଟୋରିକ୍ସା ପାଇଁ ବ୍ୟାପକ କାଗଜପତ୍ର କାମ ବାଧକ ହୋଇଛି ।
Powered by Froala Editor