ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ଭୋଲ୍ଟ ସକ୍ ଲାଗି ବୃଦ୍ଧ ମୃତ
ଗୁଟଖା ଖାଇ ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ଭୋଲ୍ଟ ଇଲେକ୍ଟ୍ରିକ୍ ସକ୍ ଲାଗି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ଗଞ୍ଜବାସୋଦା ଅଞ୍ଚଳରୁ ଆସିଛି ଏଭଳି ଏକ ଖବର । ମୃତକ ହେଉଛନ୍ତି ପ୍ରଭୁଲାଲ ଗୁପ୍ତା ।
ରିପୋର୍ଟ ଅନୁସାରେ, ପ୍ରଭୁଲାଲ ଜଣେ ରାଜମିସ୍ତ୍ରୀ ଥିଲେ । ତାଙ୍କ ଘର ଛତରପୁର ଅଞ୍ଚଳରେ ହୋଇଥିବା ବେଳେ ଦୀର୍ଘ ପ୍ରାୟ ୧୦ ବର୍ଷ ଧରି ସେ ଗଞ୍ଜବାସୋଦାସ୍ଥିତ ଗାୟତ୍ରୀ ନଗରରେ ଏକ ଭଡ଼ା ଘରେ ରହୁଥିଲେ । ଘରର ତୃତୀୟ ମହଲା ବାଲକୋନିରେ ଠିଆ ହୋଇ ଗୁଟଖା ଖାଉଥିଲେ । ସେହି ସମୟରେ ସେ ବାଲକୋନିରୁ ଛେପ ପକାଇଥିଲେ । କିନ୍ତୁ ସେହି ପିକ ଘର ନିକଟରେ ଯାଇଥିବା ୧୧ କେଭି ହାଇଟେନସନ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ଏହାପରେ ସେ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିଲେ । ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଘର ନିକଟରେ ଯାଇଥିବା ବିଦ୍ୟୁତ୍ ତାରକୁ ହଟାଇବା ପାଇଁ ପୂର୍ବରୁ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ।
Powered by Froala Editor