ହୋଟେଲ୍ ଲିଜ୍ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
ଆସାମର ଗୁଆହାଟୀ ହୋଟେଲ୍ରେ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗୁଳିକାଣ୍ଡରେ ହୋଟେଲ୍ର ମାଲିକାଣୀ ଓ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରେ ଅନ୍ୟ ଲୋକମାନେ ମଧ୍ୟ ଗୁଳିମାଡ଼ର ଶିକାର ହୋଇଛନ୍ତି। ୬ ଜଣ ଆହତ ହୋଇଥିବା ଖବର ଆସିଛି। ହୋଟେଲ୍ର ଲିଜ୍ ଚୁକ୍ତିକୁ ନେଇ ଥିବା ସମ୍ପତ୍ତି ବିବାଦ ହିଁ ଏହି ରକ୍ତପାତର କାରଣ ବୋଲି ପୋଲିସ କହିଛି।
ସୋମବାର ସନ୍ଧ୍ୟାରେ ଆସାମର ଗୁଆହାଟୀର ପଲଟନ ବଜାର ଥାନା ଅଞ୍ଚଳରେ ଥିବା ଜିଏସ୍ ରୋଡ୍ର ବୋରା ସର୍ଭିସ୍ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ହୋଟେଲ୍ ବିଲାସ୍ ଇନ୍ ନିକଟରେ ହଠାତ୍ ଗୁଳି ଫୁଟିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଗୁଳି ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇପଡ଼ିଥିଲେ।
ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା। କିନ୍ତୁ ସେତେବେଳକୁ ଗୁଳିମାଡ଼ରେ ୫ ଜଣଙ୍କ ଜୀବନ ଚାଲିଯାଇଥିଲା।
ତଦନ୍ତରୁ ଏହି ଘଟଣା ପଛରେ ହୋଟେଲ୍ ବିଲାସ୍ ଇନ୍ର ଲିଜ୍ ଚୁକ୍ତି ସହ ଜଡ଼ିତ ସମ୍ପତ୍ତି ବିବାଦ ଥିବା ଜଣାପଡ଼ିଛି। ତେବେ ବିବାଦ କେଉଁ କାରଣରୁ ଏତେ ଭୟଙ୍କର ରୂପ ନେଲା, ଏବଂ ଗୁଳିମାଡ଼ର ପ୍ରକୃତ ପରିସ୍ଥିତି କ’ଣ ଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
Powered by Froala Editor