ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ
ଭୋପାଳ: ବିହାରରେ ଅନୁଷ୍ଠିତ ଏକ ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଭାଷଣ ଦେଉଥିବା ବେଳେ ‘ମୋଦୀ ଯିବେ ନାହିଁ’ ବୋଲି କହିଥିବା ଯୁବକଙ୍କୁ କଂଗ୍ରେସ କର୍ମୀମାନେ ମାଡ଼ ମାରିଥିଲେ। ଉକ୍ତ ଯୁବକ ଜଣକ ନିଜକୁ କଂଗ୍ରେସର କର୍ମୀ ବୋଲି ପରିଚୟ ଦେଇଥିଲେ ମଧ୍ୟ ତାଙ୍କୁ ମାଡ଼ ମରାଯାଇଥିଲା। ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ଉପରେ ବର୍ଷିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମୋଦୀଜୀଙ୍କ ନାଁ ଶୁଣିବା ମାତ୍ରେ କଂଗ୍ରେସ ଏପରି ଉତ୍ତେଜିତ ହୋଇଉଠୁଛି, ସତେଯେମିତି ଷଣ୍ଢ ଆଗରେ ନାଲି କପଡ଼ା ଦେଖାଇ ଦିଆଯାଇଛି। ମୋଦୀଙ୍କୁ ବିରୋଧ କରିବାକୁ ଯାଇ କଂଗ୍ରେସ ଏତେ ଉତ୍କ୍ଷିପ୍ତ ହୋଇଯାଇଛି ଯେ, ଚିନ୍ତା କରିବା, ବୁଝିବା ଏବଂ ଶୁଣିବାର କ୍ଷମତା ମଧ୍ୟ ହରାଇ ବସିଛି। ଶ୍ରୀ ଚୌହାନ ଆହୁରି କହିଛନ୍ତି ଯେ, କଂଗ୍ରେସର ଭାଷା ଓ ଆଚରଣ ଏହାର ରାଜନୈତିକ ପତନର ଶେଷ ସୀମାକୁ ଦର୍ଶାଉଛି।
Powered by Froala Editor