ପହିଲାରୁ ଦକ୍ଷିଣ ଓଡ଼ିଶାରରେ ପ୍ରବଳ ବର୍ଷା
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ଗତି କରୁଛି। ଆସନ୍ତା ୩୧ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ସହିତ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇଦିନ ମଧ୍ୟରେ ସମ୍ଭାବ୍ୟ ଅବପାତ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସମ୍ଭାବ୍ୟ ଅବପାତ ପ୍ରଭାବରେ ନଭେମ୍ବର ପହିଲାରୁ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବା ପରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଭେମ୍ବର ୨ତାରିଖରୁ ମାଲକାନଗିରି ଜିଲାରେ ବର୍ଷା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିପାରେ। ଏଥିପାଇଁ ଏହି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କିନ୍ତୁ ରାୟଗଡ଼ା, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିପାରେ। ନଭେମ୍ବର ୩ରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାୟୁମଣ୍ଡଳ ଓ ସାମୁଦ୍ରିକ ଅବସ୍ଥା ଲଘୁଚାପଟିକୁ ଘନୀଭୂତ କରିବା ପାଇଁ ପାଗ ଅନୁକୂଳ ରହିଛି। ଆକଳନ କରାଯାଉଛି ଯେ, ୩୦ତାରିଖରେ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହୋଇପାରେ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୩୧ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫କି.ମି. ଏବଂ ଝଟକା ୫୫କି.ମି. ବହିପାରେ। ପରେ ନଭେମ୍ବର ୨ ବେଳକୁ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେଣୁ, ଏହା ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ ବୋଲି ମଡେଲଗୁଡ଼ିକର ଆକଳନରୁ ଜଣାପଡ଼ିଛି। ପ୍ରାଥମିକ ଆକଳନ କହୁଛି, ଏହା ଆନ୍ଧ୍ରପ୍ରଦେଶର କେନ୍ଦ୍ରୀୟ ଉପକୂଳ ଆଡ଼କୁ ମୁହାଁଇ ପାରେ। ତେଣୁ ଓଡ଼ିଶାରେ ପ୍ରଭାବ ପଡ଼ିବାର ସଙ୍କେତ ମିଳୁନାହିଁ। ୩୧ତାରିଖ ବେଳକୁ ସିଷ୍ଟମର ଗତିପଥ ଉପରେ ସ୍ପଷ୍ଟ ଆକଳନ କରାଯାଇ ପାରିବ। ସିଷ୍ଟମ ଉପରେ ନଜର ରଖାଯାଇଛି।
Powered by Froala Editor