'ଅର୍ଣ୍ଣବ’: ଛତ୍ରପୁର ଅଞ୍ଚଳରେ ଦୁଇଦିନ ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି
ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିବା ବେଳେ ଲୋକେ ଘରୁ ବାହାରିବାକୁ ମଧ୍ୟ ଅସୁବିଧା ଭୋଗୁଛନ୍ତି।
ପବନ ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଟାକିରିଆ ବ୍ରହ୍ମପୁର ଗାଁ ନିକଟ ଜାତୀୟ ରାଜପଥରେ ବହୁ ଗଛ ଭାଙ୍ଗି ପଡ଼ିଛି। କେତେକ ସ୍ଥାନରେ ଗଛ ରାସ୍ତା ଉପରେ ପଡ଼ିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଘର ସମ୍ମୁଖରେ ଗଛ ଭାଙ୍ଗି ପଡ଼ିଛି। ସେହିପରି ବ୍ୟାଙ୍କ କଲୋନୀ, ନ୍ୟୁ ପୋଲିସ ଲାଇନ୍ ସମେତ ସହରର ବିଭିନ୍ନ ଅଞ୍ଚଳରେ ଛୋଟବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରୁଛନ୍ତି। ଫଳରେ ଧିରେ ଧିରେ ଯାତାୟାତ ସ୍ବାଭାବିକ ହେଉଛି।
ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଏହାକୁ ନେଇ ନଦୀକୂଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଏପଟେ ବାତ୍ୟା ମୁକାବିଲା ପାଇଁ ଛତ୍ରପୁର ବ୍ଲକ ଓ ପୌରପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି।
Powered by Froala Editor