ସରକାର ଲୋକଙ୍କ ପାଖକୁ ଯାଉଛନ୍ତି, ଲୋକଙ୍କ କଥା ଶୁଣୁଛନ୍ତି: ମୁଖ୍ଯମନ୍ତ୍ରୀ
ଭୁବନେଶ୍ବର : ଶାସନ ବ୍ୟବସ୍ଥା ଆଉ ପୂର୍ବପରି ଚାଲୁ ନାହିଁ; ସରକାର ଲୋକଙ୍କ ପାଖକୁ ଯାଉଛନ୍ତି, ଲୋକଙ୍କ କଥା ଶୁଣୁଛନ୍ତି। ସରକାରଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ଦୁର୍ନୀତିକୁ ରୋକିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି, ବୁଦ୍ଧିମତା ଆଧାରରେ ପଦ, କାର୍ଯ୍ୟକାଳ ନିର୍ବିଶେଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ନୀତି ପାଇଁ ଗିରଫ ହୋଇଥିବା ଅଧିକାରୀଙ୍କ ଦଣ୍ଡବିଧାନ ଭଳି ତିନୋଟି ରଣକୌଶଳ ଆପଣାଇଛନ୍ତି। ମଙ୍ଗଳବାର ଲୋକସେବା ଭବନ ସମ୍ମିଳନୀ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଅବସରରେ ଉପସ୍ଥିତ ପଦାଧିକାରୀ ଓ ଅତିଥିମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁତାର ଶପଥ ପାଠ କରାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ସମ୍ମୁଖୀନ ହେଉଥିବା ଦୁର୍ନୀତି ବିଷୟରେ ଅବଗତ କରାଉଛନ୍ତି ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଭିଜିଲାନ୍ସ ବିଭାଗ ହେଉଛି ଉତ୍ତମଶାସନ ବ୍ୟବସ୍ଥାର ଆଖି ଓ କାନ। ଉତ୍ତମ ଶାସନ ମାନେ କେବଳ ନୀତି ଓ ଯୋଜନା ପ୍ରଣୟନ କରିବା ନୁହେଁ; ଏହାର ପ୍ରକୃତ ଅର୍ଥ ହେଉଛି ଦୁର୍ନୀତିକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ଯେଉଁ କାରଣ ପାଇଁ ପ୍ରାବଧାନ କରାଯାଇଛି, ଯାହାଙ୍କ ପାଇଁ କରାଯାଇଛି, ତାଙ୍କ ପାଖରେ ପହଞ୍ଚିବାକୁ ଶତପ୍ରତିଶତ ସୁନିଶ୍ଚିତ କରିବା। ତେଣୁ, ରାଜ୍ୟର ପ୍ରଗତି ସହିତ ତାଳ ମିଳାଇ ଆମ ସରକାର ଓଡିଶା ଭିଜିଲାନ୍ସକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।
ଗତ ଅଢ଼େଇବର୍ଷ ମଧ୍ୟରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇଏଏସ୍, ୮ଜଣ ମୁଖ୍ୟଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଏବଂ ଏସଟିଏର ଯୁଗ୍ମ ଆୟୁକ୍ତ, ୩ଜଣ ଖଣି ଉପନିର୍ଦ୍ଦେଶକ, ୫ଜଣ ତହସିଲଦାର, ୪ଜଣ ବିଡିଓ ଏବଂ ଅନେକ ସରକାରୀ ପଦାଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯାଇଛି। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ଏବଂ ୯୧ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି। ୨୦୨୫ରେ ଦଣ୍ଡବିଧାନର ହାର ୫୦ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହା ୬୫%ରେ ପହଞ୍ଚିଛି। ଦୁର୍ନୀତି କ୍ଷେତ୍ରରେ ଏଭଳି ଉଚ୍ଚ ଦଣ୍ଡବିଧାନ ହାର ପାଇଁ ଓଡିଶା ଭିଜିଲାନ୍ସ ରାଜ୍ୟ ଭିତରେ ଓ ବାହାରେ ପ୍ରଶଂସିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନ୍, ଶ୍ରେଷ୍ଠ ୟୁନିଟ୍ ଭାବେ ଅନୁଗୋଳ ୟୁନିଟ୍, ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ମାଲକାନଗିରି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି, ଶ୍ରେଷ୍ଠ ମହିଳା ତଦନ୍ତ ଅଧିକାରୀ ଭାବେ ଭୁବନେଶ୍ୱର ଡିଭିଜନର ବୈଭବମାଳା ସ୍ୱାଇଁ ଏବଂ ଶ୍ରେଷ୍ଠ ପବ୍ଲିକ୍ ପ୍ରୋସିକ୍ୟୁଟର୍ ଭାବେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେସାଲ ଜଜ୍ କୋର୍ଟର ସଲିଳ କୁମାର ପ୍ରଧାନଙ୍କୁ ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ଅନୁ ଗର୍ଗ, ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।
Powered by Froala Editor