ଦୁଇଦିନ ଘୁଞ୍ଚିଲା ଓସିଏସ୍ ମୁଖ୍ୟ ଲିଖିତ ପରୀକ୍ଷା
କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଦୁଇଦିନ ଘୁଞ୍ଚାଇ ଦିଆଯାଇଛି। ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ବଦଳରେ ୩୧ ତାରିଖରୁ ଏହି ପରୀକ୍ଷା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି।
ନଭେମ୍ବର ୪ ଓ ୫ ତାରିଖ ଲଗାତାର ଦୁଇ ବିଷୟରେ ପରୀକ୍ଷା ଥିବାବେଳେ ଗୋଟିଏ ଦିନ ବ୍ୟବଧାନ ରଖାଯାଇନାହିଁ`। ସେହିଭଳି ପୂର୍ବ ସୂଚୀରେ ଇଚ୍ଛାଧୀନ ବିଷୟରେ ପରୀକ୍ଷା ନିମନ୍ତେ ଦୁଇ ଦିନର ବ୍ୟବଧାନ ରଖାଯାଇଥିଲା; ମାତ୍ର ସଂଶୋଧିତ ସୂଚୀରେ ଗୋଟିଏ ଦିନ ବ୍ୟବଧାନ ରହିଛି। ଯାହାଦ୍ବାରା ପରୀକ୍ଷାର୍ଥୀ ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟ ପାଇବାରୁ ବଞ୍ଚିତ ହୋଇଛନ୍ତି।
ଓପିଏସ୍ସି ପକ୍ଷରୁ ଜୁନ୍ ୭ରେ ଓସିଏସ ପ୍ରିଲିମ୍ନାରୀ ପରୀକ୍ଷା କରାଯାଇଥିଲା। କଟକ, ବାଲେଶ୍ବର, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆଶାୟୀ ପରୀକ୍ଷା ଦେଇଥିଲେ। ଜୁଲାଇ ୧୦ ତାରିଖରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ୫୬୯୦ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରୁ ୧୯୦୫ ମହିଳା ପ୍ରାର୍ଥୀ ରହିଥିଲେ। ତେବେ ବ୍ରହ୍ମପୁର ଓ ଜୟପୁର ଜୋନରେ ‘ଅର୍ଣ୍ଣବ’ର ପ୍ରଭାବ ଥିବାରୁ ଆସନ୍ତା ୩୧ ତାରିଖରୁ ମୁଖ୍ୟ ଲିଖିତ ପରୀକ୍ଷା କରାଯିବ। ସଂଶୋଧିତ ସୂଚୀ ଅନୁଯାୟୀ, ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ସେହିଭଳି ନଭେମ୍ବର ୨ରେ ଜେନେରାଲ ଷ୍ଟଡିଜ୍ ପେପର- ୧, ୨ ଓ ୩, ୪ ତାରିଖରେ ଜେନେରାଲ ଷ୍ଟଡିଜ୍ ପେପର ୩, ୪ ଓ ୫, ନଭେମ୍ବର ୫ ତାରିଖରେ ରଚନା ଏବଂ ୭ ତାରିଖରେ ବିଭିନ୍ନ ଇଚ୍ଛାଧୀନ ବିଷୟଗୁଡ଼ିକରେ ପରୀକ୍ଷା କରାଯିବ।
Powered by Froala Editor