ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ, ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ୍
ଭୁବନେଶ୍ବର: ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ । ଗୋପାଳପୁର ଠାରୁ ଦକ୍ଷିଣରେ ୩୮୦ କିମି ଦୂରରେ ରହିଥିବା ବେଳେ ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବର ୩୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ୨୫ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢୁଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାପରେ ଉତ୍ତରପଶ୍ଚିମ ମୁହାଁ ହୋଇ ଆନ୍ଧ୍ର ଓ ୟାନମ ଉପକୂଳକୁ ଆସିବ । କାଲି ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୫ରୁ ୧୨୫ କିମି ରହିବ ।
ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ଦେଖାଦେବ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ଘଣ୍ଟାପ୍ରତି ବହିବା ନେଇ ସୂଚନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୨୮ ତାରିଖ ବୁଧବାର ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲାକୁ ରେଡ୍ ଓ୍ବାର୍ନିଂ ଦିଆଯାଇଛି।
Powered by Froala Editor