ସୃଷ୍ଟି ହେଲା ବାତ୍ୟା: ଆସନ୍ତାକାଲି ସୁଦ୍ଧା ‘ଅତି ଭୀଷଣ ବାତ୍ୟାରେ’ ହେବ ପରିଣତ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଫଳରେ ଏହି ବାତ୍ୟାକୁ ନେଇ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗଭୀର ଅବପାତରୁ ରୂପ ନେଇଥିବା ଏହି ବାତ୍ୟା କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ରାତି ସୁଦ୍ଧା ଏହା ଏକ ‘ଭୀଷଣ ବାତ୍ୟା’ ଏବଂ ଆସନ୍ତାକାଲି ସୁଦ୍ଧା ଏକ ‘ଅତି ଭୀଷଣ ବାତ୍ୟାରେ’ ପରିଣତ ହେବାର ସମ୍ଭାବନା ରହିଛି।
ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଗଭୀର ଅବପାତ। ନାଗାପାଟନମ୍ ୫୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି। ଚେନ୍ନାଇ ଉପକୂଳ ଠାରୁ ୮୦୦ କିଲୋମିଟର ଦୂରରେ ରହିଛି। ୨୯ ତାରିଖ ମଧ୍ୟରେ ବାତ୍ୟାଟି ଉପକୂଳ ଛୁଇଁବ। ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଇଏମଡି।
ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡିବ ନାହିଁ। ତଥାପି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବାତ୍ୟାଟି କୂଳ ଆଡ଼କୁ ମୁହାଁଇବା ସମୟରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।
Powered by Froala Editor