ବାତ୍ୟା ‘ଅର୍ଣ୍ଣବ’: ଏହି ୫ ଜିଲାକୁ ଅଧିକ ଗୁରୁତ୍ବ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ। ତେବେ ଏହା ଦ୍ବାରା ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ରାୟଗଡ଼ା ଜିଲା ଅଧିକ ପ୍ରଭାବିତ ହେବ। ଏହି ୫ଟି ଜିଲାରେ ଅତ୍ୟଧିକ ବର୍ଷା ଅର୍ଥାତ ୨୦-୩୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ଏଥିସହ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୭୦କି.ମି. ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲାରେ ଏହି ୫ଟି ଜିଲାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି। ୨୭ତାରିଖରୁ ଉପକୂଳବର୍ତ୍ତୀ ଜିଲାରେ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ଦିନ ସମଗ୍ର ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ଅବପାତ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୭ ତାରିଖ ସକାଳ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ନେବ। ପରେ ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ୨୮ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳରେ ଘନୀଭୂତ ହେବ। ସମ୍ଭବତଃ ୨୮ତାରିଖ ପୂର୍ବାହ୍ଣରେ ସମ୍ଭାବ୍ୟ ଅତି ଭୀଷଣ ବାତ୍ୟା ଆନ୍ଧ୍ରପ୍ରଦେଶ ଓ ୟମନର ବିଶାଖାପାଟଣା-ବାପଟଲା ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୧୧୫ରୁ ୧୨୫କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦କି.ମି. ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି।
ସମ୍ଭାବ୍ୟ ବାତ୍ୟା ଦ୍ବାରା ଓଡ଼ିଶାରେ କ’ଣ ପ୍ରଭାବ ରହିବ ସେନେଇ ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୭ତାରିଖରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ସହିତ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୬୦କି.ମି. ପର୍ଯ୍ୟନ୍ତ ବହିପାରେ। ୨୮ତାରିଖ ପୂର୍ବାହ୍ଣରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସହିତ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୬୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ସମ୍ଭାବ୍ୟ ବାତ୍ୟା ଉପକୂଳ ଅତିକ୍ରମ କରି ସାରିଲା ପରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ୨୮ତାରିଖ ରାତି ବେଳକୁ ଏହା ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି ଏବଂ ନବରଙ୍ଗପୁର ଜିଲାର ନିକଟତର ହେବ। ଏହିସବୁ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୬୦ରୁ ୭୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୮୦କି.ମି. ପର୍ଯ୍ୟନ୍ତ ଛୁଇଁବାର ସମ୍ଭାବନା ରହିଛି। ୨୯ତାରିଖ ପୂର୍ବାହ୍ଣ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ଏହିଭଳି ପରିସ୍ଥିତି ରହିବ। ତେବେ ଧୀରେ ଧୀରେ ବାତ୍ୟା ଦୁର୍ବଳ ହେଉଥିବାରୁ ଅତି ବେଶି ହେଲେ ଘଣ୍ଟାପ୍ରତି ୬୦ରୁ ୭୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଛତିଶଗଡ଼ ଦେଇ ସମ୍ଭାବ୍ୟ ବାତ୍ୟା ଉତ୍ତର ଦିଗରେ ମୁହାଇବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପବନ ଦ୍ବାରା ଧାନ, ପରିବା ଏବଂ ଉଦ୍ୟାନ ଫସଲ ନଷ୍ଟ ହେବା ସହିତ ଗଛଡାଳ ଭାଙ୍ଗିବାର ସମ୍ଭାବନା ରହିଛି।
ଉତ୍ତର ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ଓଡ଼ିଶାରେ ୨୭ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ ୨୦ରୁ ୩୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ୨୮ତାରିଖରେ ଓଡ଼ିଶାରେ ବର୍ଷାର ପ୍ରଭାବ ସର୍ବାଧିକ ରହିବ। ବିଶେଷକରି ସମଗ୍ର ଓଡ଼ିଶାରେ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ। ଅତ୍ୟନ୍ତ ପ୍ରବଳ ବର୍ଷା ଦ୍ବାରା ଦ୍ବାରା ପାହାଡ଼ିଆ ଅଞ୍ଚଳ ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ଖାଲୁଆ ଅଞ୍ଚଳରେ ଜଳମଗ୍ନ ହେବା ସହିତ ବଂଶଧାରା, ଋଷିକୁଲ୍ୟା, ନାଗାବଳୀ ଜଳସ୍ତର ବୃଦ୍ଧି ପାଇବ। ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଦ୍ବାରା ସେଠାରେ ପ୍ରବାହିତ ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏଥିପ୍ରତି କେନ୍ଦ୍ରୀୟ ଜଳ ଆୟୋଗକୁ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଦିଆଯିବା ସହିତ ସ୍ବତନ୍ତ୍ର ଭାବେ ଦୃଷ୍ଟି ରଖିବାକୁ କୁହାଯାଇଛି।
Powered by Froala Editor