ପୁଲିସ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଏହା କହିଲେ ଡିଜିପି
ଭୁବନେଶ୍ଵର: ରାଜ୍ୟ ପୁଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହାସହ ବୀର ଶହୀଦଙ୍କ ପରିବାରବର୍ଗ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ବୀର ଶହୀଦମାନଙ୍କ ପ୍ରତି ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
ଡିଜିପି କହିଥିଲେ ଯେ,ବର୍ତ୍ତମାନ ପୁଲିସର ଦାୟିତ୍ୱ କେବଳ ଅପରାଧ ନିୟନ୍ତ୍ରଣରେ ସୀମିତ ନୁହେଁ। ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଅପରାଧ ଓ ନିଶାଦ୍ରବ୍ୟ ଚୋରାଚାଲାଣର ମୁକାବିଲା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ଭଳି ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି। ଏସବୁ କ୍ଷେତ୍ରରେ ସଫଳତା ପାଇଁ ପୁଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଆଧୁନିକ ଜ୍ଞାନକୌଶଳର ଉପଯୋଗ ଓ ନିରନ୍ତର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ସଚ୍ଚୋଟତା, ସାହସ ଓ ନିଷ୍ଠାର ସହ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଅର୍ଜନ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ,ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ୧, ଅରୁଣାଚଳ ପ୍ରଦେଶର ୧, ଆସାମର ୬, ବିହାରର ୧୨, ଛତିଶଗଡର ୬, ଗୁଜୁରାଟର ୨, ହରିୟାନାର ୪, ଝାଡ଼ଖଣ୍ଡର ୩, କର୍ଣାଟକର ୫, କେରଳମର ୧, ମଧ୍ୟପ୍ରଦେଶର ୯, ମହାରାଷ୍ଟ୍ରର ୨, ମଣିପୁରର ୧, ପଞ୍ଜାବର ୨, ରାଜସ୍ଥାନର ୫, ତାମିଲନାଡୁର ୬, ତେଲେଙ୍ଗାନାର ୪, ଉତ୍ତରପ୍ରଦେଶ ର ୬, ଉତ୍ତରାଖଣ୍ଡର ୧, ପଶ୍ଚିମବଙ୍ଗର ୫, ଦିଲ୍ଲୀର ୩, ଜାମ୍ମୁ ଓ କାଶ୍ମୀର ର ୯, ଆସାମ ରାଇଫଲର ୬, ବିଏସଏଫ ର ୨୫, ସିଆଇଏସଏଫ ର ୪, ସିଆରପିଏଫ ର ୨, ଆଇଟିବିପି ର ୯, ଏସଏସବିର ୫, ଅଗ୍ନିଶମ ସେବା, ସିଭିଲ୍ ଡିଫେନ୍ସ ଓ ହୋମ୍ଗାର୍ଡର ୧ ଏବଂ ଆରପିଏଫର ୮ ଜଣ ଶହୀଦ ହୋଇଛନ୍ତି l ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ଶହୀଦ ସ୍ମୃତି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର. ପି. କୋଚେ, ନିର୍ଦ୍ଦେଶକ (ଭିଜିଲାନ୍ସ) ଶ୍ରୀ ୟଶବନ୍ତ କୁମାର ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଶ୍ରୀ ଏସ. କେ. ପ୍ରିୟଦର୍ଶୀ, ନିର୍ଦ୍ଦେଶକ (ଏସଏଫଏସଏଲ) ଡ଼ ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ) ଶ୍ରୀ ଅସୀତ କୁମାର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଶ୍ରୀ ୟତୀନ୍ଦ୍ର କୋୟଲଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଶହୀଦ ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
Powered by Froala Editor