ଆଜି ପବିତ୍ର ବିଜୟାଦଶମୀ, ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ୱର: ଆଜି ପବିତ୍ର ବିଜୟାଦଶମୀ। ମହାମାୟାଙ୍କ ଦଶହରା ଉତ୍ସବର ଅନ୍ତିମ ପର୍ବକୁ ନେଇ ଉତ୍ସବମୁଖର ହୋଇଉଠିଛି ସାରା ପରିବେଶ। ପୂଜା ମଣ୍ଡପଗୁଡ଼ିକରେ ମା’ ଦୁର୍ଗାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଥିବା ବେଳେ ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହେଉଛି ପରିବେଶ। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।
ପବିତ୍ର ବିଜୟାଦଶମୀ ଅବସରରେ ପରମ୍ପରା ଓ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜା ସମ୍ପନ୍ନ ହେଉଛି। ଏହି ପର୍ବ ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ। ତେଣୁ ଏହି ଦିନର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି ଅନେକ।
ବିଜୟାଦଶମୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ଆୟୋଜନ କରାଯିବ। ରାବଣ ଦହନ ସହ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ। ରାବଣ ପୋଡ଼ି ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବାର ଆଶା ରହିଛି।
ଭୁବନେଶ୍ୱରରେ ଚଳିତ ବର୍ଷ ରାବଣ ପୋଡ଼ି ଆୟୋଜନ ପାଇଁ ୯ଟି ସ୍ଥାନକୁ ଅନୁମତି ମିଳିଛି। ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Powered by Froala Editor