ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ଟାଙ୍ଗିଆରେ ଚୋଟରେ ଗଲା ଯୁବକଙ୍କ ଜୀବନ
ଦିଗପହଣ୍ଡି: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗାଁ ଢ଼ିମିରା ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଛି । ସାହିର ସୁଦର୍ଶନ ବେହେରା(୩୨) ନାମକ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତି ପ୍ରାୟ ୧୧ ଟାରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ।
ସୁଦର୍ଶନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋରରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବରପାଇ ପାଟପୁର ଥାନା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ବାପା, ୨ ପୁଅଙ୍କ ସମେତ ପୋଡ଼ାମାରି ଗ୍ରାମ ବଜାରସାହିର ଜଣେ ଯୁବକଙ୍କୁ ଥାନାକୁ ଉଠାଇ ନେଇ ସେମାନଙ୍କୁ ଅଟକ ରଖିବା ସହ ତଦନ୍ତ ଚଳାଇଛନ୍ତି ।
ବହୁବର୍ଷ ହେଲା ପୋଡ଼ାମାରି ଗ୍ରାମ ଢ଼ିମିରା ସାହିର ସ୍ବର୍ଗତ ବିଜୟ ବେହେରାଙ୍କ ସ୍ତ୍ରୀ ସଞ୍ଜୁ ବେହେରା ଏବଂ ତାଙ୍କ ପଡୋଶୀ ଆର୍. ହରି ପାତ୍ରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ସୋମବାର ରାତି ପ୍ରାୟ ୧୧ ଟାରେ ଉଭୟ ପରିବାର ଲୋକଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ହିଂସାକାଣ୍ଡ ଘଟିଥିଲା। ପଡୋଶୀ ହରି ଏବଂ ତାଙ୍କ ପରିବାର ଲୋକେ ସଞ୍ଜୁଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ମାଡ଼ ମାରିଥିଲେ। ଖବରପାଇ ସାହିରେ ରହୁଥିବା ସଞ୍ଜୁଙ୍କ ଭାଇ ସୁଦର୍ଶନ ସେଠାରେ ପହଞ୍ଚି ହରି ଏବଂ ତାଙ୍କ ୨ ପୁଅଙ୍କୁ ଘଟଣା ପଚାରିବାରୁ ସେମାନେ ଉତ୍ତେଜିତ ହୋଇ ତାଙ୍କୁ ଗାଳି କରିଥିଲେ। ହରିଙ୍କ ସାନ ପୁଅ ଗ୍ରାମର ବଜାର ସାହିରେ ରହୁଥିବା ତାଙ୍କ ସାଙ୍ଗକୁ ଫୋନ କରି ଘରକୁ ଡ଼କାଇଥିଲେ।
ସେ ପହଞ୍ଚିବା ପରେ ସମସ୍ତେ ସଂଘବଦ୍ଧ ଭାବେ ସୁଦର୍ଶନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ସୁଦର୍ଶନ ଗୁରୁତର ହୋଇପଡିଥିଲେ। ସୁଦର୍ଶନଙ୍କୁ ରକ୍ତାକ୍ତ ଅବସ୍ଥାରେ ସମ୍ପର୍କୀୟ ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
Powered by Froala Editor