ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ପାକିସ୍ତାନର ପଂଜାବ ପ୍ରଦେଶରେ ଥିବା ଏକ ହିନ୍ଦୁ ମନ୍ଦିର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଭାରତ ସରକାର । ଭାରତ ସରକାର ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ ଦୂତାବାସର ମୁଖ୍ୟଙ୍କୁ ଡକାଇ ଏହି ଘଟଣା ବିରୋଧରେ ପ୍ରତିବାଦ ଜଣାଇଛନ୍ତି ।
ଗତକାଲି ପାକିସ୍ତାନର ପଂଜାବ ପ୍ରଦେଶ ଅନ୍ତର୍ଗତ ରହିମ ୟାର ଖାଁ ଜିଲ୍ଲାର ଭୋଙ୍ଗ ସହରରେ ଥିବା ସିଦ୍ଧିବିନାୟକ ମନ୍ଦିରକୁ କେତେକ ଲୋକ ଭଙ୍ଗାରୁଜା କରିବା ସହ ଜାଳି ଦେଇଥିଲେ । ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଲୋକମାନେ ଉତ୍ତେଜିତ ହୋଇ ଏହି କାଣ୍ଡ ଘଟାଇଥିବା କୁହାଯାଉଛି । ଏପରିକି ଘଟଣାସ୍ଥଳରେ ପୁଲିସ ଥିଲେ ବି ଏଥିରେ ହସ୍ତକ୍ଷେପ କରିନଥିଲା ।
ଏ ବାବଦରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଧର୍ମୀୟ ସ୍ବାଧୀନତା ଓ ସେମାନଙ୍କ ଉପାସନାପୀଠ ଗୁଡ଼ିକ ଉପରେ ଆକ୍ରମଣ ହେଉଥିବାରୁ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି । ପାକ୍ ସରକାର ସଂଖ୍ୟାଲଘୁଙ୍କ ସୁରକ୍ଷା ଓ ବିକାଶ ଲାଗି ପଦକ୍ଷେପ ନେବାକୁ ଭାରତ ସରକାର ଦାବି କରିଛନ୍ତି ।
Powered by Froala Editor