ବର୍ଷା ବିତ୍ପାତରେ ପ୍ରଭାବିତ ହୋଇଛନ୍ତି ୧୮,୪୬୬ ଲୋକ
ଭୁବନେଶ୍ବର : ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଛି। କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଏବଂ ରାୟଗଡ଼ା ଜିଲା ବ୍ୟାପକ ପ୍ରଭାବିତ ହୋଇଛି। ପ୍ରଭାବିତ ୧୦ଟି ଜିଲାର ୫୬ଟି ବ୍ଲକର ୨୭୨ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ୭ଟି ସହରାଞ୍ଚଳର ୨୮ଟି ୱାର୍ଡ ପ୍ରଭାବିତ ହୋଇଥିବା ବେଳେ ମୋଟ ୧୮,୪୬୬ ଲୋକ ବର୍ଷା ବିତ୍ପାତରେ ପ୍ରଭାବିତ ହୋଇଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ଅଦ୍ୟାବଧି ୬ଟି ଗାଁ ଜଳମଗ୍ନ ପରିସ୍ଥିତିରେ ରହିଛି। ବର୍ଷା ବିତ୍ପାତ ପ୍ରଭାବିତ ଲୋକଙ୍କ ମଧ୍ୟରୁ ତଳିଆ ଅଞ୍ଚଳରେ ଏବଂ ସମ୍ବେଦନଶୀଳ ଜାଗାରେ ଥିବା ୧୪,୪୭୯ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। ୨ ହେକ୍ଟର ଚାଷ ଜମିରେ ବର୍ଷା ପାଣି ଲହଡ଼ି ମାରିବା ହେତୁ ଧାନ ଫସଲ ନଷ୍ଟ ହୋଇଛି। ଉପରୋକ୍ତ ଜିଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିବା ହେତୁ ୪୦୪ଟି ଘର ଭାଙ୍ଗିଛି। ପ୍ରଭାବିତ ଲୋକଙ୍କୁ ୨୦୬୧ଟି ରିଲିଫ୍ କ୍ୟାମ୍ପରେ ୧୪,୪୮୭ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ପ୍ରଭାବିତଙ୍କୁ ଚୁଡ଼ାଗୁଡ଼ ଓ ପଲିଥିନ ବଣ୍ଟନ କରାଯାଇଛି। ସର୍ବାଧିକ ପ୍ରଭାବିତ ଜିଲାଗୁଡ଼ିକ ମଧ୍ୟରେ ଗଜପତି, ନବରଙ୍ଗପୁର, ଗଞ୍ଜାମ, ମାଲକାନଗିରି ଏବଂ କୋରାପୁଟ ରହିଛି। ଗଜପତିରେ ସବୁଠୁ ଅଧିକ ୧୩୦ଟି ଘର ଭାଙ୍ଗିଥିବା ବେଳେ ନବରଙ୍ଗପୁରରେ ୫୯, ମାଲକାନଗିରିରେ ୩୩, ଗଞ୍ଜାମରେ ୫୬, କନ୍ଧମାଳରେ ୬, ବଲାଙ୍ଗିରରେ ଗୋଟିଏ, ରାୟଗଡ଼ାରେ ୨୮ଟି ଏବଂ କୋରାପୁଟରେ ୧୯ଟି ଘର ଭାଙ୍ଗିଛି।
ଅନ୍ୟପଟେ ଲଗାଣ ବର୍ଷାରେ ଘର ଭାଙ୍ଗି ଅସହାୟ ହୋଇପଡ଼ିଥିବା ପରିବାରଙ୍କୁ ରାଜ୍ୟ ସରକାର ଅେନ୍ତ୍ୟାଦୟ ଯୋଜନାରେ ସାମିଲ କରି ପକ୍କାଘର ପ୍ରଦାନ କରିବେ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି, ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଘରଗୁଡ଼ିକର କ୍ଷୟକ୍ଷତି ଆକଳନ କରାଯାଇ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ।
Powered by Froala Editor