ପିଶାଚି ମା, ଟଙ୍କା ପାଇଁ ନିଜ ଝିଅକୁ ଅନୈତିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା

ଭୁବନେଶ୍ୱର : ଟଙ୍କା ପାଇଁ ଜଣେ ମା’ ତା’ଝିଅର ଇଜ୍ଜତକୁ ବଜାରରେ ନିଲାମ କରିବାକୁ ପଛାଇ ନାହିଁ । ଦୀର୍ଘ ୬ବର୍ଷ ଧରି ଏକାଧିକ ଲୋକଙ୍କୁ ଘରକୁ ଡାକି ଝିଅକୁ ଅନୈତିକ ସଂପର୍କ ରଖିବାକୁ ବାଧ୍ୟ କରିଛି । ଖାଲି ଏତିକି ନୁହେଁ, ଘର ବ୍ୟତୀତ ଯିଏ ଚାହିଁବ ଝିଅକୁ ବୁଲାଇ ନେବା ବାହାନାରେ ବାହାରେ ହୋଟେଲରେ ମଧ୍ୟ ଏଭଳି ଘୃଣ୍ୟକାମରେ ଲଗାଇଛି ପିଶାଚି ମା’ । ଏ ନେଇ ନାବାଳିକା ଜଣକ ନିଜ ମା’ ବିରୋଧରେ ଭରତପୁର ଥାନାରେ ଗତ ୨ ତାରିଖରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ମା ସମେତ ନାବାଳିକା ସହିତ ବାରମ୍ବାର ଅନୈତିକ ସଂପର୍କ ରଖିଥିବା ବରମୁଣ୍ଡାର ଆଶିଷ କୁମ୍ଭାର ଓ ତମାଣ୍ଡୋର ଅମିତ ସେଠୀକୁ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କ ମା ଦୀର୍ଘ ବର୍ଷ ହେବ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଆସି ବରମୁଣ୍ଡା ଶରଧାପଲ୍ଲୀ ବସ୍ତିରେ ରହୁଥିଲା । ଘରେ କେହି ରହୁ ନ ଥିବା ବେଳେ ଝିଅ ଛୋଟ ହୋଇଥିବାରୁ ମାଆ ଘରକୁ ଅନେକ ସମୟରେ ଏକାଧିକ ପୁରୁଷଙ୍କୁ ଘରେ ପୂରାଉଥିଲା । ଏହାରି ଭିତରେ ଝିଅକୁ ମଧ୍ୟ ଅନୈତିକ କାମରେ ଲଗାଇବାକୁ ସ୍ଥିର କରିଥିଲା । ପ୍ରଥମେ ଝିଅକୁ ଏଭଳି ଘୃଣ୍ୟ ଲଗାଇବା ସମୟରେ ଝିଅ ଏହାକୁ ବିରୋଧ କରିଥିଲା । ମାତ୍ର ମା’ ଗରାଖ ହୋଇଆସିଥିବା ଲୋକଙ୍କୁ ସଂପର୍କୀୟ ମାମୁ, ଦାଦା ଆଦି କହି ଗେଲ କରୁଥିବା କଥା କହିଥିଲା । ଏହା ପରେ ସମୟ ସୁବିଧା ଦେଖି ଧୀରେ ଧୀରେ ଝିଅକୁ ନେଇ ଦେହ ବ୍ୟବସାୟରେ ଲଗାଇ ଏହାକୁ ପେଶା ଭାବେ ଆପଣାଇଥିଲା । ଗତ ଜୁଲାଇ ମାସରେ କୌଣସିମତେ ନାବାଳିକା ଜଣକ ଘରୁ ଖସିଆସି ବାହାରେ ବୁଲୁଥିବା ବେଳେ ତାକୁ ଏକ ସ୍ୱେଚ୍ଛାସେବୀ ସଂସ୍ଥା ରାସ୍ତାରୁ ପାଇଥିଲା । ଘର ଛାଡ଼ି କୁଆଡେ଼ ବୁଲୁଥିବା କଥା ପଚାରିବାରୁ ନାବାଳିକା ଜଣକ ତାଙ୍କ ମା’ର ନିର୍ଯାତନା ସଂପର୍କରେ କହିଥିଲା । ତା’ର ମୂଳ ଘର ପୁରୀ ହୋଇଥିବା ବେଳେ ଭରତପୁରରେ ରହୁଥିବା କହିଥିଲା । ଏନେଇ ପ୍ରଥମେ ପୁରୀ ଗୋପ ଥାନାରେ ଏତଲା ହେବା ପରେ ନାବାଳିକାକୁ ଶିଶୁ ସୁରକ୍ଷା କମିଟିରେ ହାଜର କରାଯାଇଥିଲା । ପରେ ତାକୁ ନେଇ ସିଡବ୍ଲୁସି ଭରତପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ନିକଟରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ଜଣେ ନାବାଳିକା ଓ ତାଙ୍କ ଭାଇ ନିଜ ମା’ ବିରୋଧରେ ଏଭଳି ସଂଗିନ ଅଭିଯୋଗ ଆଣିଥିଲେ ।
Powered by Froala Editor