ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ଯେତେ ଭ୍ୟୁ ସେତେ ଆୟ
ଏଣିକି ସରକାରୀ ସୂଚନା ମଧ୍ୟ ରିଲ୍ରେ ମିଳିବ । ବିହାର ସରକାର କଣ୍ଟେଣ୍ଟ କ୍ରିଏଟରଙ୍କୁ ସେମାନଙ୍କ ରିଲ୍ସର ଭ୍ୟୁ ହିସାବରେ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଯେତେ ଅଧିକ ଦର୍ଶକ ରିଲ୍ ଦେଖିବେ, ସେତେ ଅଧିକ ଆୟ ହେବ । ୧୦ ଲକ୍ଷ ଭ୍ୟୁ ହେଲେ, ୧ ଲକ୍ଷ ଟଙ୍କା ମିଳିବ । ୩୦ ଦିନରେ ୧ ଲକ୍ଷ ଭ୍ୟୁ ଆସିଲେ, ୧୦ ହଜାର ଟଙ୍କା ମିଳିବ । ଗୋଟିଏ ରିଲ୍ର ଭ୍ୟୁ ୧୦ ଲକ୍ଷ ହେଲେ, ସରକାର ୧ ଲକ୍ଷ ଟଙ୍କା ଦେବେ । ତେବେ ଏହି ରିଲ୍ ବିହାର ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସହ ଜଡ଼ିତ ହେବା ଜରୁରି । କେଉଁ କଣ୍ଟେଣ୍ଟ କ୍ରିଏଟର ଏଥିପାଇଁ ଯୋଗ୍ୟ ହେବେ, ସରକାର ତା’ର ସବିଶେଷ ତଥ୍ୟ ଖୁବ୍ଶୀଘ୍ର ସାର୍ବଜନୀନ କରିବେ । ସୂଚନା ଏବଂ ଜନସମ୍ପର୍କ ବିଭାଗ ଖୁବ୍ ଶୀଘ୍ର ଅଧିକ ବିବରଣୀ ପ୍ରକାଶ କରିବ ବୋଲି ଆଶା କରାଯାଉଛି ।
ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି । ଏକ ଭିଡିଓ ଆବଶ୍ୟକୀୟ ଭ୍ୟୁରେ ପହଞ୍ଚିବା ପରେ ତୁରନ୍ତ ନୂଆ ଦେୟ କରାଯିବ ନାହିଁ । ଚୂଡ଼ାନ୍ତ ଦେୟ ସ୍ଥିର କରିବା ପୂର୍ବରୁ ୩୦ ଦିନ ପରେ ଅଧିକାରୀମାନେ ଭିଡିଓ ଏବଂ ଏହାର ଭ୍ୟୁ ଗଣନା ଯାଞ୍ଚ କରିବେ। ଜଣେ କ୍ରିଏଟର୍ ଗୋଟିଏ ଭିଡିଓରୁ କେତେ ରୋଜଗାର କରିପାରିବେ ତାହାର ଏକ ସୀମା ମଧ୍ୟ ଅଛି । ପ୍ରତି ଭିଡିଓ ପାଇଁ ସର୍ବାଧିକ ପରିମାଣ ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।
ସରକାରଙ୍କ ଅନୁସାରେ, ସରକାରୀ ଯୋଜନାର ସୂଚନା ରିଲ୍ ଓ ଛୋଟ ଭିଡିଓ ଜରିଆରେ ଲୋକଙ୍କ ପାଖରେ ଅଧିକ ସହଜରେ ପହଞ୍ଚି ପାରିବ । ଏବେ ଟିଭି, ଖବରକାଗଜ, ରେଡିଓ ଓ ୱେବ୍ସାଇଟ୍ ମାଧ୍ୟମରେ ସରକାରୀ ଯୋଜନାଗୁଡ଼ିକର ପ୍ରଚାର ହେଉଛି । ନୂଆ ଶୈଳୀରେ କଣ୍ଟେଣ୍ଟ କ୍ରିଏଟର ମଧ୍ୟ ଏଗୁଡ଼ିକୁ ନିଜ ଅନ୍ଦାଜ୍ରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ।
Powered by Froala Editor