ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା
ମହାରାଷ୍ଟ୍ରର ଖାଭ୍ୟଡା ଡୋଙ୍ଗରର ଏକ ବିପଦପୂର୍ଣ୍ଣ ପାହାଡ଼ରୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ୧୮ବର୍ଷୀୟ ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି ମା’ବାପା। ପଥର ଖଣି ଭିତରକୁ ଖସି ପଡ଼ିବାରୁ ମା, ବାପା ଏବଂ ପୁଅ ତିନିଜଣଙ୍କ ମୃତ୍ୟୁ ଘଟିଛି।
ନୂଆ ମୋବାଇଲ ଫୋନ୍କୁ ନେଇ ପାହାଡ଼ ଉପରକୁ ଚଢ଼ିଗଲେ ୧୮ ବର୍ଷୀୟ ଯୁବକ। ପ୍ରାୟ ୩ ଘଣ୍ଟା ଧରି ପାହାଡ଼ କଡ଼ରେ ଠିଆ ହୋଇ ରହିଥିବା ପୁଅକୁ ଘରକୁ ଫେରାଇ ଆଣିବାକୁ ବାପା ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ବଞ୍ଚାଇବାକୁ ଯାଇ ପୁଅର ହାତ ଧରିବା ସମୟରେ ଉଭୟ ଖାଇକୁ ଖସିପଡ଼ିଥିଲେ। ଏହାର କିଛି ସମୟ ପରେ ମା’ ମଧ୍ୟ ଖାଇକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାରେ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଛି।
ସକାଳ ପ୍ରାୟ ୧୧ଟା ୩୩ ମିନିଟ୍ରେ ଦମକଳ ବାହିନୀକୁ ଖବର ମିଳିଥିଲା ଯେ, ଜଣେ ଯୁବକ ପାହାଡ଼ରୁ ଖାଇକୁ ଡେଇଁ ପଡ଼ିବାକୁ ଚେଷ୍ଟା କରୁଛନ୍ତି। ଖବର ପାଇବା ପରେ ପଦମପୁରା ଅଗ୍ନିଶମନ କେନ୍ଦ୍ରର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ୧୮ ବର୍ଷୀୟ କୁନାଲ ପ୍ରାୟ ୩ ଘଣ୍ଟା ଧରି ପାହାଡ଼ କଡ଼ରେ ଠିଆ ହୋଇ ରହିଥିଲେ। ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମନ କର୍ମଚାରୀମାନେ ତାଙ୍କୁ ବୁଝାଇ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ କୁଣାଲ ନିଜ ସ୍ଥାନ ବଦଳାଇବା ସହ ବାରମ୍ବାର ଖାଇକୁ ଡେଇଁ ପଡ଼ିବାକୁ ଧମକ ଦେଉଥିଲେ।
ପୁଅକୁ ବଞ୍ଚାଇବା ପାଇଁ ବାପା ମୁରଲୀଧର ଧୀରେ ଧୀରେ ତାଙ୍କ ନିକଟକୁ ଯାଇଥିଲେ। ଶେଷରେ ସେ କୁନାଲଙ୍କ ହାତ ଧରିବାରେ ସଫଳ ହୋଇଥିଲେ। କିନ୍ତୁ ଠିକ୍ ସେହି ସମୟରେ କୁନାଲ ତଳକୁ ଖସିପଡ଼ିଥିଲେ। ପୁଅର ହାତ ଧରିଥିବାରୁ ମୁରଲୀଧର ମଧ୍ୟ ତାଙ୍କ ସହ ଖାଇକୁ ଖସିଯାଇଥିଲେ।
Powered by Froala Editor