ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିନନ୍ଦନ
ଭାରତୀୟ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ତ୍ତମାନ ବୃତ୍ତିଗତ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ବେଳେ ପାକିସ୍ତାନର ଏକ F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା ଏବଂ ପରେ ତିନି ଦିନ ପାଇଁ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପଟେନ୍ ଏବଂ ବୀରଚକ୍ର ବିଜେତା ଅଭିନନ୍ଦନ ବର୍ତମାନ ଭାରତୀୟ ବାୟୁସେନାକୁ ଅଲବିଦା କହିଛନ୍ତି। ସେ ଏକ ଘରୋଇ ବିମାନ କମ୍ପାନୀରେ ପାଇଲଟ୍ ଭାବରେ ଯୋଗ ଦେଇଛନ୍ତି। ସୂତ୍ର ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ବାୟୁସେନାରୁ ଅବସର ନେଇଥିବା ଲଢ଼ୁଆ ପାଇଲଟ ଅଭିନନ୍ଦନ ଅଗଷ୍ଟ ମାସରେ FLY91ରେ ଯୋଗ ଦେଇଛନ୍ତି।
ତେବେ ଏହି ନିଯୁକ୍ତିକୁ ନେଇ ଏୟାରଲାଇନ୍ସ କର୍ତ୍ତୃପକ୍ଷ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦେଇନାହାନ୍ତି। ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ, କର୍ମଚାରୀମାନଙ୍କର ବ୍ୟକ୍ତିଗତ ସୂଚନା ସେମାନଙ୍କର ଗୋପନୀୟ ମାମଲା ଏବଂ ଏହା ଉପରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ ।
ଅଭିନନ୍ଦନ ଫେବୃଆରୀ ୨୦୧୯ରେ ଏୟାର ଷ୍ଟ୍ରାଇକ୍ ବେଳେ ପାକିସ୍ତାନର F-16କୁ ଗୁଳି କରି ଖସାଇ ଦେଇଥିଲେ। ଏହି ସମୟରେ ତାଙ୍କର MiG-21 ବାଇସନ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫଳସ୍ୱରୂପ ସେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅବତରଣ କରିଥିଲେ ଏବଂ ପାକିସ୍ତାନୀ ସେନା ତାଙ୍କୁ ତିନି ଦିନ ପାଇଁ ବନ୍ଦୀ କରି ରଖିଥିଲା।
Powered by Froala Editor