ପୁଣି ହୀରାକୁଦ ଖୋଲିଲା ୫ ସ୍ଲୁଇସ ଗେଟ୍
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ସୋମବାର ସକାଳେ ପୁଣି ୫ଟି ସ୍ଲୁଇସ ଗେଟ୍ ଖୋଲାଯାଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୫ ଓ ଦକ୍ଷିଣ ପାର୍ଶର ୨ଟି ମିଶି ମୋଟ୍ ୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ପୂର୍ବାହ୍ନ ସାଢ଼େ ୯ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୧୯.୦୨ ଫୁଟକୁ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୧ ହଜାର ୨୪୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।
ଅପରପକ୍ଷରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍ ୧ ଲକ୍ଷ ୪୨ ହଜାର ୨୮୪ ଘନଫୁଟ ଜଳ ନିଷ୍କାସିତ ହେଉଛି।
Powered by Froala Editor