୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ଜୟପୁର: ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟସ୍ଥିତ ଯୋଜନା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଶୀ ଛାତ୍ର ମହେଶ ବାଘ। ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟ ଦାବିରେ ପରିବାର ଲୋକେ ବାରିଣୀପୁଟ ଫାଣ୍ଡି ସମ୍ମୁଖ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ମଧ୍ୟାହ୍ନଭୋଜନ ଛୁଟି ସମୟରେ ପ୍ରତିଦିନ ଭଳି ମହେଶ ଘରକୁ ଖାଇବାକୁ ଯାଉଥିଲେ। ଏହି ସମୟରେ ବିଦ୍ୟାଳୟଠାରୁ ୮୦ ମିଟର ଦୂରରେ ୨ ଅଣ ଛାତ୍ର ଅବତାଭ ହିଆଲ ଓ ତାଙ୍କ ଭାଇ ରିଆନ ହିଆଲଙ୍କ ସହ କୌଣସି କାରଣରୁ ତାଙ୍କର ବଚସା ହୋଇଥିଲା। ଏହା ପରେ ୨ ଭାଇ ଧାରୁଆ ଛୁରିରେ ମହେଶଙ୍କ ପେଟକୁ ଆକ୍ରମଣ କରିଥିଲେ। ଛାତ୍ର ଚିତ୍କାର କରିବାରୁ ଅଭିଯୁକ୍ତମାନେ ଛୁରିକୁ ଫିଙ୍ଗି ଦେଇ ସେଠାରୁ ଫେରାର ହୋଇଯାଇଥିଲେ। ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ମହେଶଙ୍କୁ ପରିବାର ଓ ସ୍ଥାନୀୟ ଲୋକେ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମଧ୍ୟାହ୍ନଭୋଜନ ସମୟରେ ସ୍କୁଲର ମୁଖ୍ୟ ଫାଟକ ବନ୍ଦ ଥିବା ବେଳେ ସିକ୍ୟୁରିଟି ମଧ୍ୟ ଜଗିଥିଲେ। କିନ୍ତୁ ମହେଶ ଅନ୍ୟ ବାଟ ଦେଇ ଘରକୁ ଖାଇବାକୁ ଯାଇଥିବା ପ୍ରଧାନଶିକ୍ଷକ ପର୍ଶୁରାମ ସେଠୀ କହିଛନ୍ତି। ପୁଅ ମହେଶ ଝଗଡ଼ା କି ପାଟିତୁଣ୍ଡ କରୁ ନ ଥିବା ଓ ତାଙ୍କର କାହା ସହ ଶତ୍ରୁତା ନ ଥିବା ବାପା ମୁରଲି ବାଘ କହିଛନ୍ତି। ବିନା କାରଣରେ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ମହେଶଙ୍କ ମା’ସୁରଭି ବାଘ କହିଛନ୍ତି। ଏ ନେଇ ଜୟପୁର ସଦର ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ସଦର ପୋଲିସ ନଂ.୨୪୩/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Powered by Froala Editor